ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି। ଶାଳିନୀ ପରୀକ୍ଷାରେ ୪୪୫ନମ୍ବର ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।

ଓଏଏସ୍‌ ପାଇବାରେ ଶାଳିନୀ ପୁରୁଷୋତ୍ତମପୁରର ପ୍ରଥମ ଯୁବତୀ ବୋଲି ଜଣାପଡିଛି। ସେ ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିରରୁ ୨୦୧୬ରେ ଦଶମ ଶ୍ରେଣୀ ପାସ୍‌ କରିବା ପରେ ୨୦୨୨ରେ ତାରାତାରିଣୀ କଲେଜରେ ଜୁଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରି ୨୦୨୪ରେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ପିଜି ଶିକ୍ଷା ସମାପ୍ତ କରିଛନ୍ତି।

ଶାଳିନୀଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ୨୦୧୩ରେ ହୋଇଥିବା ଫାଇଲିନ ବାତ୍ୟାରେ ଜିଲାପାଳ କିପରି ଲୋକଙ୍କୁ ସାହଯ୍ୟ କରୁଥିଲେ ତାହା ଗଣମାଧ୍ୟମରେ ଦେଖିବା ପରେ ନିଜେ ଜଣେ ଜିଲାପାଳ ହୋଇ ଲୋକଙ୍କୁ ସାହାଯ୍ୟ କରିବେ ସେନେଇ ମନରେ ଭାବନା ଆସିଥିଲା। ସେହିଦିନଠାରୁ ସେ ଜିଲାପାଳ ହେବା ଲାଗି ଇଚ୍ଚା ରଖିଛନ୍ତି। ଏହାକୁ ଲକ୍ଷ୍ୟ ରଖି ପାଠପଢାରେ ଗୁରୁତ୍ୱ ଦେଇ ଦିନକୁ ୬ ଘଣ୍ଟାରୁ ୮ ଘଣ୍ଟା ପଢୁଥିବା ବେଳେ ପରୀକ୍ଷା ସମୟରେ ୧୦ ଘଣ୍ଟା ପର୍ଯ୍ୟନ୍ତ ପଢିଥିବା ପ୍ରକାଶ କରିଛନ୍ତି।

୨୦୨୨ରୁ ସେ ଆଇଏଏସ୍‌ ଲାଗି ଉଦ୍ୟମ ଚଲାଇଥିବା ବେଳେ ଓଏଏସ୍‌ ପରୀକ୍ଷା ଦେଇଥିଲେ। ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ଯେତିକି ଖୁସି ଅଛନ୍ତି ଆଇଏଏସ୍‌ ପାଇଲେ ଆହୁରି ଖୁସି ହେବେ ହେବେ ବୋଲି କହିଛନ୍ତି। ଆଇଏଏସ୍‌ ପାଇ ଜିଲାପାଳ ହେବା ଲକ୍ଷ୍ୟ ରହିଛି। ଏନେଇ ତାଙ୍କ ଉଦ୍ୟମ ଜାରି ରହିବ ବୋଲି ଶାଳିନୀ ପ୍ରତିକ୍ରିୟାରେ କହିଛନ୍ତି।

ଏହି ସଫଳତା ଲାଗି ବାପା ମୁକୁନ୍ଦ, ମା ସାବିତ୍ରୀ ଓ ଗୁରୁଜନ, ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ସାଙ୍ଗସାଥୀଙ୍କ ପ୍ରେରଣା ଉସାହକୁ ଶ୍ରେୟ ଦେଇଛନ୍ତି। ଏହି ସଫଳତା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Share