ନୂଆ ରୂପ ପାଇବ ଶାଳ ଜଙ୍ଗଲ

କେନ୍ଦୁଝର, ୨୭।୭ (ସ୍ବ.ପ୍ର.)-ଖଣିଖାଦାନରେ ଭରା କେନ୍ଦୁଝର ଜିଲାର ଜଙ୍ଗଲ ସମ୍ପଦକୁ ସମୃଦ୍ଧ କରିଛି ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ କାଠଚୋରଙ୍କ ପ୍ରାଦୁର୍ଭାବ ଯୋଗୁ ଏହି ମୂଲ୍ୟବାନ ଜଙ୍ଗଲ ଏବେ ଅବକ୍ଷୟମୁଖୀ। ଏକଦା ଘଞ୍ଚ ଶାଳ ଗଛରେ ଭରପୂର ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି। ତେବେ ବିଳମ୍ବରେ ହେଲେ ବି ଧ୍ୱଂସପ୍ରାୟ ଶାଳ ଜଙ୍ଗଲର ଭରଣା କରିବାକୁ ଜିଲା ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ହେଲେ ପ୍ରାକୃତିକ ନୁହେଁ, ଏଣିକି କୃତ୍ରିମ ଉପାୟରେ ନର୍ସରିରେ ଚାରା ଉତ୍ପାଦନ କରି ଶାଳ ଜଙ୍ଗଲ ସୃଷ୍ଟି କରାଯିବ। ଏଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଛି ବନ ବିଭାଗ।
ଶାଳ ଗଛ ବହୁ ମୂଲ୍ୟବାନ। ପ୍ରାକୃତିକ ପରିବେଶ ମଧ୍ୟରେ ଶାଳ ଜଙ୍ଗଲ ସୃଷ୍ଟି ହୋଇଥାଏ। କୁହାଯାଏ ଶାଳ ମଞ୍ଜି ଗଛରୁ ମାଟିରେ ପଡ଼ିବା ପରେ ୨୪ ଘଣ୍ଟା ମଧ୍ୟରେ ଅଙ୍କୁରୋଦଗମ ହେଲେ ଗଛ ହୋଇଥାଏ। ଏଣୁ କୃତ୍ରିମ ଉପାୟରେ ଶାଳ ଜଙ୍ଗଲ ଅସମ୍ଭବ ମନେ କରି ଏହାକୁ ବନୀକରଣରେ ସାମିଲ କରାଯାଉ ନ ଥିଲା। ତେବେ ଏହାକୁ ସଫଳତାର ସହ ବନୀକରଣ କରିବା ପାଇଁ କେନ୍ଦୁଝର ବନଖଣ୍ଡ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ସଦର ବ୍ଲକ ପଦ୍ମପୁର ନିକଟରେ ପ୍ରାୟ ୬ ହେକ୍ଟର ପରିମିତ ଗ୍ରାମ ଜଙ୍ଗଲ କିସମ ଜମିରେ ୧୦ହଜାର ପରୀକ୍ଷାମୂଳକ ଶାଳ ଗଛ ଚାରା ରୋପଣ ନିକଟରେ କରାଯାଇଛି। ଏହି ଶାଳ ଚାରା ବନୀକରଣ ସଫଳ ହେଲେ ଏହା ଏକ ନୂଆ ଦିଗଦର୍ଶନ ଦେବ ବୋଲି ଡିଏଫ୍‌ଓ ସ୍ବୟମ ମଲ୍ଲିକ କହିଛନ୍ତି।
ଏଭଳି ସଫଳତା ଶାଳ ବନୀକରଣ ପାଇଁ ଦେଢବର୍ଷର ଶାଳ ଚାରା, ପାଣିର ବ୍ୟବସ୍ଥା ଏବଂ ସୁରକ୍ଷା ନିମନ୍ତେ ବାଡ଼ ବ୍ୟବସ୍ଥା ଜରୁରୀ। ଡିସେମ୍ବର ପର୍ଯ୍ୟନ୍ତ ଚାରା ବଞ୍ଚିଗଲେ ଜଙ୍ଗଲ ସୃଷ୍ଟି ହୋଇ ପାରିବ, ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଝାଡ଼ବେଲଦା ନିକଟରେ ଓଡ଼ିଶା ଖଣି ନିଗମ ପକ୍ଷରୁ ହେବାକୁ ଥିବା କ୍ଷତିପୂରଣ ବନୀକରଣରେ ୫୦ ପ୍ରତିଶତ ଏହି ଶାଳ ଚାରାରୋପଣ କରିବା ନେଇ ଚୁକ୍ତି ହୋଇଥିବା ଜଣାପଡ଼ିଛି ା ସେଠାରେ ପାଣି ସହିତ ଜଗାରଖା ବ୍ୟବସ୍ଥା (ସୁରକ୍ଷାବାଡ଼) କରିବା ପାଇଁ ବନ ବିଭାଗ ସ୍ଥିର କରିଛି। ଜିଲାରେ ପଦ୍ମପୁର, ବେଲଦା ସମେତ ଅନ୍ୟାନ୍ୟ ବନ ବିଭାଗ ନର୍ସରିରେ ପାଖାପାଖି ୮୦ ହଜାର ଶାଳ ଚାରା ସୃଷ୍ଟି କରାଯାଇଛି ା ଏସବୁ ଦେଢବର୍ଷ ହେଲେ ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କମ୍‌ ପରିଶ୍ରମରେ ବଞ୍ଚୁଥିବା ଓ କମ ଦିନରେ ବଡ଼ ହେଉଥିବା ଗଛ ଲଗାଇ ସଫଳତା ଦେଖାଇ ଆସୁଥିଲେ ହେଁ ଏହାକୁ ଏବେ ଡିଏଫଓ ମଲ୍ଲିକ ଚ୍ୟାଲେଞ୍ଜ ଭାବେ ନେଇ ଶାଳ ଜଙ୍ଗଲ ସୃଷ୍ଟି କରି ଉଦାହରଣ ସୃଷ୍ଟି କରିବାକୁ ଆଗେଇଛନ୍ତି ା
ଶାଳ ଜଙ୍ଗଲ ସୃଷ୍ଟି କରିବା ଯଦିଓ ସହଜ ନୁହେଁ, ତେବେ ଏଭଳି ଉଦ୍ୟମ ସଫଳ ହେଲେ ପ୍ରକୃତିର ସୁରକ୍ଷା ପାଇଁ ବହୁତ ବଡ ସଫଳତାର ମନ୍ତ୍ର ମିଳିଯିବ ବୋଲି ପରିବେଶବିତ୍‌ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି। ସେହିପରି ପିଲାଦିନରୁ ଶାଳ ଜଙ୍ଗଲ ଦେଖି ଆସିଛୁ ଓ ଏହାର ଉପାଦେୟତା ଶୁଣି ଆସିଛୁ। ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ପରିବେଶ ସୁରକ୍ଷାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ତେବେ ଦ୍ରୁତ ଅବକ୍ଷୟ ହେଉଥିବା ଶାଳ ଜଙ୍ଗଲର ପରିପୂରଣ ଏହା ଦ୍ବାରା ହୋଇପାରିବ ବୋଲି ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି।

Share