ମାନବିକତା ପାଇଁ ଲଜ୍ୟା: ଗଳିତ ଅବସ୍ଥାରେ ଗାଜା ହସ୍ପିଟାଲରୁ ମିଳୁଛି ନବଜାତକଙ୍କ ମୃତଦେହ

ଜେରୁଜେଲମ,୯।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଅକଳ୍ପନୀୟ ମାନବିକ ବିପର୍ଯ୍ୟୟ ଆଣିଛି। ଗାଜାର ଅଲ ନସ୍ର ହସ୍ପିଟାଲର ଆଇସିୟୁରେ ନବଜାତ ଶିଶୁଙ୍କ ମୃତଦେହ ଗଳିତ ଅବସ୍ଥାରେ ମିଳିଛି। ଗାଜାର ଜଣେ ସାମ୍ବାଦିକ ଡାକ୍ତରଖାନାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ନବଜାତ ଶିଶୁଙ୍କ ମୃତଦେହ ଆଇସିୟୁ ଶଯ୍ୟାରେ ଜୀବନ ରକ୍ଷାକାରୀ ଉପକରଣରେ ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଭିଡିଓରେ ଚାରିଜଣ ନବଜାତ ଶିଶୁଙ୍କ ଶରୀର ଦୃଶ୍ୟମାନ ହେଉଛି ଏବଂ କେତେକ କଙ୍କାଳରେ ପରିଣତ ହୋଇଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ଆରମ୍ଭରେ ଗାଜାର ଡାକ୍ତରଖାନାଗୁଡ଼ିକରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହୋଇଥିଲା। ଇସ୍ରାଏଲ ଅଭିଯୋଗ କରିଛି ଯେ ହମାସ ଆତଙ୍କବାଦୀମାନେ ଏହି ଡାକ୍ତରଖାନାଗୁଡ଼ିକରେ ସେମାନଙ୍କର ଶିବିର ତିଆରି କରିଛନ୍ତି। ଆକ୍ରମଣ ପୂର୍ବରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଇସ୍ରାଏଲ ନିର୍ଦ୍ଦେଶ ଦେଇଥିଲା। ଏହି କାରଣରୁ ହସ୍ପିଟାଲର କର୍ମଚାରୀମାନେ ଶୀଘ୍ର ଚାଲିଯାଇଥିଲେ ଏବଂ ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ଅନେକ ନବଜାତ ଶିଶୁଙ୍କୁ ଡାକ୍ତରଖାନାରେ ଛାଡି ଦିଆଯାଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ ଡାକ୍ତରଖାନା ସ୍ଥାନାନ୍ତର ହେବା ପୂର୍ବରୁ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପିଲାମାନେ ଜୀବିତ ଥିଲେ କିନ୍ତୁ ପରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିଲା।

Share