ରାହୁଲ ଗାନ୍ଧୀଙ୍କ ‘ପନୌତି’ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଶାମି

ନୂଆଦିଲ୍ଲୀ,୨୩।୧୧: ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ସର୍ବାଧିକ ୱିକେଟ ନେଇ ରେକର୍ଡ କରିଥିଲେ। ସେ ମାତ୍ର ୭ ଟି ମ୍ୟାଚରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଫାଇନାଲରେ ୧ଟି ୱିକେଟ ନେଇଥିଲେ। ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମରେ ପହଞ୍ଚିଥିଲେ। ବିଶ୍ୱକପରେ ଭାରତ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଲୋକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ କୁହାଯିବା ପରେ ଶାମି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ଖବରଦାତାମାନେ ମହମ୍ମଦ ଶାମିଙ୍କୁ ପଚାରିଥିଲେ, ରାହୁଲ ଗାନ୍ଧୀ ବିଶ୍ୱକପ ବିଷୟରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସେଠାରେ ଏକ ଷଡ଼ଯନ୍ତ୍ର ହୋଇଥିଲା, ଯେଉଁଥିପାଇଁ ଭାରତ ମ୍ୟାଚ ହାରିଯାଇଥିଲା। ଏହାର ଉତ୍ତରରେ ଶାମି କହିଛନ୍ତି, ମୁଁ ଏଭଳି ବିବାଦୀୟ ପ୍ରଶ୍ନକୁ ବୁଝି ପାରୁ ନାହିଁ। ମୌଳିକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ଯାହା ଉପରେ ଆପଣ ଗତ ଦୁଇମାସ ଧରି କଠିନ ପରିଶ୍ରମ କରିଛନ୍ତି। ମୁଁ ଏହି ରାଜନୈତିକ ଏଜେଣ୍ଡା ବୁଝିପାରୁ ନାହିଁ।
ସୂଚନାଯୋଗ୍ୟ, ଭାରତର ପରାଜୟ ପରେ ମ୍ୟାଚ ଦେଖିବାକୁ ଆସିଥିବା ନରେନ୍ଦ୍ର ମୋଦି ମଧ୍ୟ ଖେଳାଳିଙ୍କୁ ଭେଟିବା ପାଇଁ ଡ୍ରେସିଂ ରୁମରେ ପହଞ୍ଚିଥିଲେ, ଯେଉଁଠାରେ ସେ ଭାରତୀୟ ଖେଳାଳିଙ୍କ ସହ କଥା ହୋଇଥିଲେ ଏବଂ ମହମ୍ମଦ ଶାମିଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ, ଯାହାର ଫଟୋ ଶାମି ସୋସିଆଲ ମିଡିଆରେ ଶେୟାର କରିଥିଲେ।

Share