ନୂଆଦିଲ୍ଲୀ,୧।୪: ଅଭିଜ୍ଞ ଖେଳାଳି ସନ୍ୟାସ ନେବା ପରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନର ଭାରତୀୟ ଟିମ୍କୁ ଦେଖିଲେ ଭବିଷ୍ୟତରେ ସେଭଳି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯେତେବେଳେ ଆମେ ସନ୍ୟାସ ନେବୁ ସେତେବେଳେ ଯୁବ ଖେଳାଳିମାନେ ଆମ ସ୍ଥାନ ନେବାକୁ ପ୍ରସ୍ତୁତ ଥିବେ। ସେମାନେ ଯେତେ ଅଧିକ ଖେଳିବେ, ସେତେ ଭଲ କରିବେ ବୋଲି ଶାମି କହିଛନ୍ତି।
ପ୍ରକାଶ ଯେ, ଶାମିଙ୍କ ସହ ଈଶାନ୍ତ ଶର୍ମା, ଜସପ୍ରିତ ବୁମ୍ରା ଏବଂ ଉମେଶ ଯାଦବଙ୍କ ଭଳି ଦ୍ରୁତ ବୋଲର୍ ଭାରତକୁ ମଜଭୂତ କରାଇଥାନ୍ତି। ହେଲେ ଅଷ୍ଟ୍ରେଲିଆ ଗସ୍ତ ବେଳେ ଆହତ ସମସ୍ୟା ଯୋଗୁ ଏମାନେ ଉପଲବ୍ଧ ନ ଥିଲେ। ପରେ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କ ଭଳି ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିଲା। ଶାର୍ଦ୍ଦୁଳ ଠାକୁର, ଟି. ନଟରାଜନ ଏବଂ ଓ୍ବାଶିଂଟନ ସୁନ୍ଦର ପ୍ରମୁଖ ସୁଯୋଗର ଭରପୁର ଫାଇଦା ଉଠାଇଥିଲେ। ଏବେ ସେମାନେ ଦଳର ଅଭିଜ୍ଞ ଖେଳାଳିଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ବଡ଼ ଖେଳାଳି ସନ୍ୟାସ ନେଲେ କୌଣସି ଅସୁବିଧା ହେବ ନାହିଁ। ଯୁବ ଖେଳାଳିମାନଙ୍କ ପାଇଁ ଅନୁଭବ ଆବଶ୍ୟକ। ଏହି ସମୟରେ ସେମାନେ ତାହା ହାସଲ କରିନେବେ ବୋଲି ଶାମି କହିଛନ୍ତି।