Advertisement
Categories: ଖେଳ

‘ଶାମି ଜଣେ ଭଲ ବୋଲର୍‌ ସତ, ହେଲେ ସେତିକି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି…’

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ବୋଲର ମହମ୍ମଦ ଶାମି ଜବରଦସ୍ତ ଫର୍ମରେ ଅଛନ୍ତି। ଏଯାବତ ସେ ୨୩ ଉଇକେଟ ନେଇସାରିଛନ୍ତି। ଗୋଟିଏ ପଟେ ସେ ଅନେକ ରେକର୍ଡ ନିଜ ନାମରେ କରୁଥିବା ବେଳେ ଅପରପକ୍ଷେ ସ୍ତ୍ରୀ ହସିନ ଜହାଁ ତାଙ୍କୁ କଟାକ୍ଷ କରିବାକୁ ମଉକା ଛାଡ଼ୁନାହାନ୍ତି।

ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ଶାମି ୭ ଉଇକେଟ ନେଇ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ହୋଇଥିଲେ। ତେବେ ଶାମି ବୋଲିଂ ଭଳି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି ବୋଲି ହସିନ କଟାକ୍ଷ କରିଛନ୍ତି।

ଶାମିଙ୍କ ପ୍ରଦର୍ଶନ ନେଇ ହସିନ କହିଛନ୍ତି, ସେ ଯେତେ ଭଲ ବୋଲର, ସେତିକି ଭଲ ମଣିଷ ହୋଇଥିଲେ ଆମେ ସୁଖୀ ଜୀବନ ବିତାଇଥାନ୍ତୁ। ସେ ଭଲ ହୋଇଥିଲେ ମୋ ଝିଅ, ମୋ ସ୍ବାମୀ ଏବଂ ମୁଁ ଭଲରେ ରହିଥାନ୍ତୁ। ଏହା ଆମପାଇଁ ସମ୍ମାନର କଥା ହୋଇଥାନ୍ତା ଯେତେବେଳେ ସେ କେବଳ ଭଲ ଖେଳାଳି ନୁହେଁ ବରଂ ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ। ତାଙ୍କର ଭୁଲ, ଲୋଭୀ ମନୋଭାବ ଏବଂ କୁଶ୍ଚିତ ଚିନ୍ତାଧାରା ଯୋଗୁ ଆଜି ଆମେ ୩ଜଣ ତାର ପରିଣାମ ଭୋଗ କରୁଛୁ। ଏବେ ସେ ନିଜର ନକରାତ୍ମକ ବ୍ୟକ୍ତିତ୍ୱକୁ ଟଙ୍କା ଦ୍ୱାରା ଘୋଡାଇଦେବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ସଫଳର ପାହାଚରେ ଚଢ଼ୁଥିବା ଦେଖିବା ବେଳେ ସେତେଟା ଖୁସି ଅନୁଭବ ହେଉନାହିଁ। ହେଲେ ଭାରତ ସେମିଫାଇନାଲକୁ ଜିତିବା ବଡ଼ କଥା। ଦଳ ଫାଇନାଲ ବି ଜିତୁ ବୋଲି ସେ ପ୍ରାର୍ଥନା କରିବେ ବୋଲି ହସିନ କହିଛନ୍ତି।

୨୦୧୮ରେ ଶାମି ଏବଂ ହସିନ ପରସ୍ପରଠାରୁ ଅଲଗା ହୋଇଥିଲେ। ସେତେବେଳେ ହସିନ ଶାମିଙ୍କ ଉପରେ ଘରୋଇ ହିଂସାକୁ ନେଇ ଗମ୍ଭୀର ଅଭିଯୋଗ ଲଗାଇଥିଲେ। ହେଲେ ଶାମି ଏହାକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଆସିଛନ୍ତି। ଉଭୟଙ୍କ ଏକ ଝିଅ ଅଛନ୍ତି, ଯିଏ ହସିନଙ୍କ ସହ ରହୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel