Categories: ଜାତୀୟ

ମଇଁଷି ଛୁଆର ପ୍ରକୃତ ମାଲିକ କିଏ, ହେବ ଡିଏନ୍‌ଏ ଟେଷ୍ଟ

ଲକ୍ଷୌ,୭।୬: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ମଇଁଷି ଛୁଆ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଯେଉଁ ବ୍ୟକ୍ତିଙ୍କ ଉପରେ ଏହି ଚୋରି ଅଭିଯୋଗ ଆସିଛି ସେ ଏହାକୁ ଅସ୍ବୀକାର କରୁଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ପ୍ରକୃତ ମାଲିକଙ୍କୁ ଜାଣିବା ପାଇଁ ମଇଁଷିର ଡିଏନ୍‌ଏ ଟେଷ୍ଟ କରିବାକୁ ଯାଉଛି।
ଚନ୍ଦ୍ରପାଲ କଶ୍ୟପ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ଅଗଷ୍ଟ ୨୫, ୨୦୨୦ରେ ତାଙ୍କ ଗୋଶାଳାରୁ ଏକ ମଇଁଷି ଛୁଆ ଚୋରି ହୋଇଯାଇଛି। ଖୋଜାଖୋଜି ବେଳେ ନଭେମ୍ବର ୨୦୨୦ରେ ସାହାରନପୁରରେ ମଇଁଷି ଛୁଆ ମିଳିଥିଲା। କିନ୍ତୁ ମିଳିଥିବା ମଇଁଷି ଛୁଆର ମାଲିକ ସତ୍ୟବୀର ସିଂ ଦାବି କରିଛନ୍ତି ଯେ,ଏହା ତାଙ୍କ ମଇଁଷି ଛୁଆ।
କୋଭିଡ ମହାମାରୀ ହେତୁ ସେହି ସମୟରେ ଏହି ମାମଲା ସ୍ଥଗିତ ଥିଲା। ଏବେ ପ୍ରକୃତ ମାଲିକ ଜାଣିବା ପାଇଁ ଶାମଲି ଏସପି ସୁକ୍ରିତି ମାଧବ ଚନ୍ଦ୍ରପାଲଙ୍କ ମଇଁଷି ଏବଂ ମଇଁଷି ଛୁଆର ଡିଏନ୍‌ଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଧବ କହିଛନ୍ତି ଯେ, ପ୍ରକୃତ ମାଲିକଙ୍କୁ ଖୋଜିବା ପ୍ରକୃତରେ ଏକ ଆହ୍ବାନ ଥିଲା। ଯେହେତୁ କଶ୍ୟପ ଦାବି କରିଛନ୍ତି ଯେ, ବାଛୁରୀର ମା’ ତାଙ୍କ ସହ ଅଛନ୍ତି, ତେଣୁ ଆମେ ଡିଏନ୍‌ଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛୁ।
ଏହି ମଇଁଷି ଛୁଆ ତୁମର କେମିତି ଜାଣିଲ ବୋଲି ପୋଲିସ କଶ୍ୟପଙ୍କୁ ପଚରାଥିଲା। ଏହା ଜବାବରେ ସେ କହିଥିଲେ, ମଣିଷମାନଙ୍କ ପରି ପଶୁମାନଙ୍କୁ ଚିହ୍ନିବା ପାଇଁ ବିଭିନ୍ନ ଗୁଣ ଅଛି। ପ୍ରଥମତଃ ମଇଁଷି ଛୁଆର ବାମ ଗୋଡରେ ଏକ ଚିହ୍ନ ଅଛି। ତାର ଲାଞ୍ଜର ଶେଷରେ ଏକ ଧଳା ପ୍ୟାଚ ମଧ୍ୟ ଅଛି। ତୃତୀୟତଃ, ଯେତେବେଳେ ମୁଁ ମଇଁଷି ଛୁଆ ପାଖକୁ ଗଲି, ସେ ମୋତେ ଚିହ୍ନିଲା ଏବଂ ମୋ ପାଖକୁ ଆସିବାକୁ ଚେଷ୍ଟା କଲା।

Share