Categories: ଖେଳ

ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ପାକିସ୍ତାନକୁ ବଡ ଝଟ୍‌କା

ମେଲବୋର୍ନ,୨୧।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ସିଜନ୍‌ରେ ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ ଟିମ୍‌କୁ ବଡ ଝଟ୍‌କା ଲାଗିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଶାନ ମାସୁଦ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି। ଏଥିଲାଗି ତାଙ୍କର ସ୍କାନ କରାଯିବାକୁ ଡାକ୍ତରଖାନା ନିଆଯାଇଛି। ରବିବାର ଦଳ ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ହେଲେ ଏହା ପୂର୍ବରୁ ମାସୁଦ ଆହତ ହେବା ଚିନ୍ତାର ବିଷୟ ପାଲଟିଛି।

ସୋସିଆଲ ମିଡିଆରେ ମାସୁଦଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ଆଘାତ ଲାଗିବା ପରେ ମଇଦାନରେ ଶୋଇଥିବା ଦେଖାଯାଉଛି। ତାଙ୍କୁ ଖେଳାଳି ଏବଂ ଷ୍ଟାଫ୍‌ମାନେ ଘେରି ରହିଛନ୍ତି। ତାଙ୍କର ତୁରନ୍ତ ଚିକିତ୍ସା କରାଯାଉଛି। ପରେ ତାଙ୍କୁ ସ୍କାନ ପାଇଁ ନିଆଯାଉଛି।

କହିରଖୁଛୁ, ମାସୁଦ ପାକିସ୍ତାନ ଟିମ ସହ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ନେଟ୍‌ ପ୍ରାକ୍ଟିସ କରୁଥିଲେ। ଏହି ସମୟରେ ମହମ୍ମଦ ନଓ୍ବାଜଙ୍କ ଏକ ଶଟ୍‌ ବଲ୍‌ ତାଙ୍କ ମୁଣ୍ଡର ଡାହାଣ ପାର୍ଶ୍ୱରେ ବାଜିଥିଲା।

Share