Categories: ଜାତୀୟ

ଶାନନ ଢାକା ଏନଡ଼ିଏ ମହିଳା ଟପ୍ପର…

ନୂଆଦିଲ୍ଲୀ, ୨୨।୬ : ହରିୟାଣାର ରୋହତକ ଶାନନ ଢାକା ଭାରତୀୟ ସେନାରେ ମହିଳାମାନଙ୍କ ପ୍ରଥମ ଏନଡିଏ ବ୍ୟାଚରେ ଟପ୍ପର ହୋଇଛନ୍ତି। ଏହାକୁ ନେଇ ତାଙ୍କ ଗାଁ ସୁଡାନାରେ ଖୁସିର ବାତାବରଣ ଦେଖିବାକୁ ମିଳିଛି। ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତ ସରକାର ଏନଡିଏରେ ଝିଅମାନଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ। ଏହାପରେ ଶାନନ ଦେଶ ପାଇଁ ସେବା କରିବା ଲାଗି ଏନଡିଏ ପରୀକ୍ଷା ଦେଇଥିଲେ।

ଶେଷରେ ତାଙ୍କୁ ସଫଳତା ମିଳିଛି। ଶାନନଙ୍କ ଜେଜେବାପା ଚନ୍ଦ୍ରବାନ ଢାକା ଭାରତୀୟ ସେନାରେ ଜଣେ ସୁବେଦାର୍‌ ଥିଲେ। ଏହା ବ୍ୟତୀତ ତାଙ୍କ ପିତା ବିଜୟ କୁମାର ଢାକା ମଧ୍ୟ ନାୟକ ସୁବେଦାର ଭାବରେ ଭାରତୀୟ ସେନାରେ ଦେଶ ସେବା କରିଥିଲେ। ତାଙ୍କ ଜେଜେବାପା ଏବଂ ପିତାଙ୍କଠାରୁ ପ୍ରେରଣା ପାଇ ଶାନନ ଭାରତୀୟ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ଆର୍ମି ସ୍କୁଲରେ ତାଙ୍କର ଶିକ୍ଷା ଶେଷ କରିଥିଲେ। ଶାନନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀ ରାମ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ନେଇଥିଲେ। ତା’ପରେ ଯେତେବେଳେ ମହିଳାମାନେ ଏନଡିଏରେ ପ୍ରବେଶ କରିବାକୁ ଅନୁମତି ପାଇଲେ ସେତେବେଳେ ସେ ମଧ୍ୟ ଏଥିପାଇଁ ଆବେଦନ କରିଥିଲେ।

ଶାନନଙ୍କ ଅନୁଯାୟୀ, ଏନଡିଏ ପରୀକ୍ଷା ପାଇଁ ତାଙ୍କୁ ବହୁତ କମ ସମୟ ମିଳିଥିଲା। ତାଙ୍କୁ ଏନଡିଏ ପରୀକ୍ଷା ପାଇଁ ମାତ୍ର ୪୦ ଦିନ ସମୟ ମିଳିଥିଲା। କିନ୍ତୁ ସେ ଏହି ପରୀକ୍ଷାରେ ସଫଳତା ହାସଲ ପାଇଁ ସଂକଳ୍ପବଦ୍ଧ ଥିଲେ। ଗତ ୧୦ ବର୍ଷର ପ୍ରଶ୍ନପତ୍ରଗୁଡ଼ିକୁ ଦେଖି ଏହାର ସମାଧାନ କରିଥିଲେ। ଏନଡିଏ ପରୀକ୍ଷା ପାଇଁ ଦିଆଯାଇଥିବା ସମୟ ଅଢ଼େେଇ ଘଣ୍ଟା ହୋଇଥିବାବେଳେ ଶାନନ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରଶ୍ନର ସମାଧାନ କରିବାକୁ ଲକ୍ଷ୍ୟ ରଖିଥିଲେ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ୫ ଦିନ ଧରି ଚାଲିଥିବା ସାକ୍ଷାତକାରରେ ସେ ନିଜର ଆତ୍ମବିଶ୍ୱାସ ବଜାୟ ରଖିଥିଲେ। ଯାହା ପରେ, ଯେତେବେଳେ ଫଳାଫଳ ଆସିଲା, ଶାନନ ତାଙ୍କ ବ୍ୟାଚର ଟପ୍ପର ହୋଇଥିଲେ।

Share