କୋ ସାମୁଇ(ଥାଇଲାଣ୍ଡ),୬।୩: ନିକଟରେ ପ୍ରାଣ ହରାଇଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନଙ୍କ ଘର ଚଟାଣ ଏବଂ ବାଥ ଟଓ୍ବେଲରୁ ମିଳିଛି ରକ୍ତ ଚିହ୍ନ। ପୂର୍ବତନ ଲେଗ୍ ସ୍ପିନରଙ୍କ ମୃତଦେହ ମିଳିବା ପରେ ପୋଲିସ ତାଙ୍କ ଭିଲାରେ ସର୍ଚ୍ଚ କରିବାରୁ ତାଙ୍କ ରୁମ ସ୍ଥାନର ଚଟାଣରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି ବୋଲି ଥାଇଲାଣ୍ଡ ପୋଲିସ ପକ୍ଷରୁ କୁହାଯାଇଛି।
୫୨ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ଶୁକ୍ରବାର ରାତିରେ ଥାଇ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏକ ବିଳାସପୂର୍ଣ୍ଣ ଭିଲାରେ ତାଙ୍କୁ ପ୍ରାୟ ୫ଟା ବେଳେ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ତାଙ୍କର ଜଣେ ବନ୍ଧୁ। ଆମ୍ବୁଲାନସ ଆସିବା ପର୍ଯ୍ୟନ୍ତ ସାଙ୍ଗମାନେ ଓ୍ବର୍ନଙ୍କୁ ସିପିଆର୍ ଦେଇଥିଲେ। ସିପିଆର ଦିଆଗଲା ବେଳେ ତାଙ୍କର ରକ୍ତବାନ୍ତି ହୋଇଥିଲା ବୋଲି ଓ୍ବର୍ନଙ୍କ ସାଙ୍ଗମାନେ ପୋଲିସକୁ କହିଥିଲେ।