Categories: ଖେଳ

ଏଲିମିନେଟର ମୁକାବିଲା ପୂର୍ବରୁ RCB ପ୍ରଶଂସକଙ୍କୁ କ୍ଷମା ମାଗିଲେ ଓ୍ବାଟସନ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୨।୫: ଆଇପିଏଲ୍‌ ୨୦୨୪ର ଏଲିମିନେଟର ମୁକାବିଲା ବୁଧବାର ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ବଡ଼ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ତଥା ପୂର୍ବତନ ଆର୍‌ସିବି ଖେଳାଳି ଶେନ ଓ୍ବାଟସନ୍‌ ବାଙ୍ଗାଲୁରୁ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ଆଇପିଏଲ୍‌ ୨୦୧୬ ଫାଇନାଲ ପାଇଁ ସେ ଏହି କ୍ଷମା ମାଗିଛନ୍ତି, ଯେତେବେଳେ ଆର୍‌ସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ଏହି ମୁକାବିଲାରେ ଓ୍ବାଟସନ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଫେଲ ହୋଇଥିଲେ।

ଏକ କାର୍ଯ୍ୟକ୍ରମରେ ଓ୍ବାଟସନ କହିଛନ୍ତି, ଆଜି ରାତିରେ ମୁଁ ଆର୍‌ସିବି ପ୍ରଶଂସକଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ମୋର କ୍ଷମା ମାଗିବାର କାରଣ ଆଇପିଏଲ୍‌ ୨୦୧୬ର ଫାଇନାଲ। ମୁଁ ଯେତେ ଭଲ ଭାବେ ଏଥିଲାଗି ପ୍ରସ୍ତୁତି କରିପାରିଥାନ୍ତି, କରିଥିଲି। ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବି ବୋଲି ଆଶା ଥିଲା। ହେଲେ ଯେତେବେଳେ ଫାଇନାଲରେ ବୋଲିଂ କଥା ଉଠିଥିଲା ସେତେବେଳେ ମୋର ପ୍ରଦର୍ଶନ ସବୁଠାରୁ ଖରାପ ପ୍ରଦର୍ଶନରୁ ଗୋଟିଏ ଥିଲା। ଏହି କାରଣରୁ ଆର୍‌ସିବିକୁ କ୍ଷତି ସହିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।

ଆଇପିଏଲ୍‌ ୨୦୧୬ ଫାଇନାଲ ବିଷୟରେ କହିଲେ ଓ୍ବାଟସନ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିରାଶ କରିଥିଲେ। ମ୍ୟାଚରେ ସେ ୯ ବଲ୍‌ରେ ୧୧ ରନ୍‌ କରିଥିଲେ। ସେହିଭଳି ୪ ଓଭର ବୋଲିଂ କରି ୬୧ ରନ୍‌ ଦେଇଥିଲେ। ପୁରା ସିଜନ ସେ ଭଲ ପ୍ରଦର୍ଶନ କରିଥିଲେ ହେଁ ଫାଇନାଲରେ ବିଫଳ ହୋଇଥିଲେ।

୨୦୧୬ ଆଇପିଏଲ୍‌ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୨୦୭ ରନ୍‌ କରିଥିଲେ। ଜବାବରେ ଆର୍‌ସିବି ୨୦୦ ରନ୍‌ କରିବାରେ ସଫଳ ହୋଇଥିଲା। ମୁକାବିଲାରେ କ୍ରିସ ଗେଲ ୭୬ ଏବଂ କୋହଲି ୫୪ ରନ୍‌ର ଇନିଂସ ଖେଳିଥିଲେ।

Share