ସରକାରଙ୍କୁ ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ,୧୨ା୯(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାର ନୂଆ ଅବକାରୀ ନୀତି ଲାଗୁ କରିଛନ୍ତି। ଏହି ନୂଆ ଆଇନର ପ୍ରାବଧାନ ଅନୁଯାୟୀ, ଏଣିକି ସମୁଦ୍ର ବେଳାଭୂମି ଓ ନଦୀପଠାରେ ମଦ ବିକ୍ରି ହୋଇପାରିବ। ବେଳାଭୂମିରେ ଛୋଟ ଛୋଟ ଷ୍ଟଲ୍‌ କରାଯାଇ ବିଚ୍‌ ସାକ୍ସ ମାଧ୍ୟମରେ ମଦ ବିକ୍ରି ହେବ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ସରକାରଙ୍କ ଏପରି ନିଷ୍ପତ୍ତିକୁ ପୁରୀର ୫୦ରୁ ଅଧିକ ସଙ୍ଗଠନ ଏକାଠି ହୋଇ ବିକ୍ଷୋଭ ମାଧ୍ୟମରେ ବିରୋଧ କରିଛନ୍ତି। ଅପରପକ୍ଷରେ ଓଡ଼ିଶାର ବିଭିନ୍ନ ନଦୀ ଓ ସମୁଦ୍ର ତଟରେ ମଦକୁଟୀର ବା ମଦ କୁଡ଼ିଆ ଯୋଜନାକୁ ନେଇ ଗୋବର୍ଦ୍ଧନ ମଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି, ନଦୀତଟ ଓ ମହୋଦଧି ଆସ୍ଥାର କେନ୍ଦ୍ର ହୋଇଥିବାରୁ ସେଠାରେ ମଦ୍ୟପାନ ବର୍ଜନ କରିବା ଆବଶ୍ୟକ। ସନ୍ଧ୍ୟା ଓ ସକାଳେ ଭଜନକୀର୍ତ୍ତନ ଆଦି କରାଯାଉ। ପ୍ରତିଦିନ ମହୋଦଧିରେ ଆଳତି ଆଦି କାର୍ଯ୍ୟକ୍ରମ କରାଯାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଉଛି। ତେବେ ମହୋଦଧି ତଟରେ ମଦ ବିକ୍ରି ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା କଳଙ୍କ। ଏହାଦ୍ୱାରା ରାଷ୍ଟ୍ର ପାଇଁ ବିପ୍ଳବ ସୃଷ୍ଟି ସହ ଅରାଜକତାକୁ ପ୍ରୋତ୍ସାହନ ମିଳିବ। ତେଣୁ ଏହାକୁ ସମର୍ଥନ କରିବା ଉଚିତ୍‌ ନୁହେଁ। ଏପରି ପ୍ରକଳ୍ପ କରିବା ସରକାରଙ୍କ ପାଗଳାମି। ଏହି ପ୍ରକଳ୍ପ ନ ହେବା ଉଚିତ୍‌। ଏଭଳି ନିଷ୍ପତ୍ତି ପାଇଁ ଜଗଦ୍‌ଗୁରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାବଧାନ ହେବାକୁ ପରାମର୍ଶ ଦେବା ସହ ଫଳ ଖରାପ ହେବ ଓ ଶାସନ ପଲଟିଯିବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

Share