Categories: ଜାତୀୟ

ରାହୁଲଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ

ନୂଆଦିଲ୍ଲୀ,୯ା୭:ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଚାଲିଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ଆକ୍ରମଣାତ୍ମକ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ହିନ୍ଦୁମାନେ କେବେ ହିଂସ୍ର ହୋଇ ନ ପାରନ୍ତି। କିନ୍ତୁ ନିଜକୁ ହିନ୍ଦୁ ବୋଲି ଦାବି କରୁଥିବା ଭାଜପା ଓ ଆର୍‌ଏସ୍‌ଏସ୍‌ ଲୋକମାନେ ସବୁବେଳେ ହିଂସାରେ ଲିପ୍ତ ରହୁଥିବା ରାହୁଲ କହିଥିଲେ। ସମ୍ପ୍ରଦାୟ ଆଧାରରେ ଭାଜପା ନେତାମାନେ ଲୋକଙ୍କୁ ଭାଗଭାଗ କରୁଥିବା ସେ ଅଭିଯୋଗ କରିଥିଲେ। ରାହୁଲ ସମୁଦାୟ ହିନ୍ଦୁ ସମ୍ପ୍ରଦାୟକୁ ହିଂସ୍ର କହିଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣକୁ ନିନ୍ଦା କରିଥିଲେ। ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ଓ ବାଚସ୍ପତି ରାହୁଲଙ୍କ ଭାଷଣର ଅଧିକାଂଶ ମନ୍ତବ୍ୟକୁ ରେକର୍ଡରୁ ହଟାଇଦେଇଥିଲେ। ଜ୍ୟୋତିର୍ମଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ରାହୁଲଙ୍କ ସମର୍ଥନରେ ବାହାରିଛନ୍ତି। ସେ କଂଗ୍ରେସ ନେତାଙ୍କ ଭାଷଣକୁ ଭିନ୍ନ ଦୃଷ୍ଟିକୋଣ ଦେଇଛନ୍ତି। ସେ କହିଛନ୍ତି, ଆମେ ରାହୁଲଙ୍କ ସମ୍ପୂର୍ଣ୍ଣ ଭାଷଣ ଶୁଣିଛୁ। ହିନ୍ଦୁତ୍ୱବାଦ ହିଂସାକୁ ପ୍ରତ୍ୟାଖ୍ୟାନ କରେ ବୋଲି ସେ ସ୍ପଷ୍ଟ ଭାବେ କହିଥିଲେ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓରେ ରାହୁଲଙ୍କ ଭାଷଣର ନିର୍ଦ୍ଦିଷ୍ଟ ଅଂଶକୁ ପ୍ରଚାର କରାଯାଇଥିବାରୁ ଶଙ୍କରାଚାର୍ଯ୍ୟ ଏହାକୁ ନିନ୍ଦା କରିଛନ୍ତି। ଭାଷଣର ପ୍ରକୃତ ତଥ୍ୟକୁ ବଦଳାଇଦେଇଥିବା ଲୋକଙ୍କୁ ଉତ୍ତରଦାୟୀ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି। ବକ୍ତବ୍ୟର କେବଳ କିଛି ଅଂଶକୁ ଉପସ୍ଥାପନ କରିବା ବିଭ୍ରାନ୍ତିକର ଏବଂ ଅନୈତିକ। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ବୋଲି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି।

Share