ବିପଜ୍ଜନକ ଅବସ୍ଥାରେ ଶଙ୍ଖଚିଲା ଏଟିଏମ୍‌

ଯାଜପୁର ରୋଡ,୩ା୪(ଡି.ଏନ.ଏ.): ଯାଜପୁର ରୋଡ୍‌ ଷ୍ଟେଟ ବ୍ୟାଙ୍କ ଅଧୀନରେ ଥିବା ଏଟିଏମ୍‌ଗୁଡିକରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠି ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କାମ କରୁନି ଆଉ କେଉଁଠି ଗ୍ରାହକ ଯିବା ପାଇଁ ଡ୍ରେନ୍‌ ଉପରେ ସ୍ଲାବ ନାହିଁ। ଏଟିଏମ୍‌ ଥିବା ଘରେ କାଚ କବାଟ ମଧ୍ୟ କାମ କରୁନି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଶଙ୍ଖଚିଲା ହାଟ ବଜାର ନିକଟରେ ଥିବା ଏଟିଏମ୍‌ରେ। ଏହି ଏଟିଏମ୍‌ ଘରେ ଲାଗିଥିବା କାଚ କବାଟ ବିପଦଜନକ ଅବସ୍ଥାରେ ରହିଛି। ହେଲେ ବ୍ୟାଙ୍କ ଅଧିକାରୀ କିମ୍ବା ଏହାର ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ପକ୍ଷରୁ ମରାମତି ନେଇ ପଦକ୍ଷେପ ନିଆଯାଉନାହିଁ। ଫଳରେ ଏଟିଏମ୍‌ ଗୃହରେ ବୁଲା କୁକୁର ଓ ଗାଈ ପଶି ରହୁଛନ୍ତି, ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଏଟିଏମ୍‌ ଉପରେ ପ୍ରାୟ ୬ ପଞ୍ଚାୟତର ଲୋକେ ନିର୍ଭରଶୀଳ ହୋଇ ଥାଆନ୍ତି। ତେଣୁ ଏହାକୁ ଶୀଘ୍ର ମରାମତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଷ୍ଟେଟ ବ୍ୟାଙ୍କର ଏଟିଏମ୍‌ ଅଧିକାରୀ ନିରାକାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏହାର ମରାମତି ପାଇଁ ଠିକା ସଂସ୍ଥାକୁ ଚିଠି କରାଯାଇଛି। ହେଲେ ସେମାନେ ମରାମତି କରିନାହାନ୍ତି।