Categories: ଖେଳ

ଶାନ୍ତନୁଙ୍କ ଦ୍ୱିଶତକ, ପ୍ରୟାସଙ୍କ ଶତକ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା- ନାଗାଲାଣ୍ଡ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ର ରହିଛି। ଶୁକ୍ରବାର ଶେଷ ହୋଇଥିବା ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଛି। ଏଠାରେ ନାଗାଲାଣ୍ଡ ପ୍ରଥମ ଇନିଂସରେ ୪୩୩ ରନ କରିଥିବାବେଳେ ଓଡ଼ିଶା ୫୩୫/୮ରେ ଏହାର ଇନିଂସ ଘୋଷଣା କରିଥିଲା। ଶାନ୍ତନୁ ମିଶ୍ର ଦ୍ୱିଶତକ ହାସଲ କରି ଅପରାଜିତ ରହିଥିବାବେଳେ ପ୍ରୟାସ ସିଂ ଶତକ ହାସଲ କରିବା ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା। ଖେଳ ଶେଷ ହେବା ବେଳକୁ ନାଗାଲାଣ୍ଡ ଦ୍ୱିତୀୟ ଇନିଂସରେ ୧ ଉଇକେଟ ହରାଇ ୧୨୦ ରନ କରିଥିଲା।
ସମ୍ମାନ ରଖିଲେ ଶାନ୍ତନୁ
କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିବା ଶାନ୍ତନୁ ଦ୍ୱିଶତକ ହାସଲ କରି ଓଡ଼ିଶାକୁ ପ୍ରଥମ ଇନିଂସ ଅଗ୍ରଣୀ ଦେବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ପ୍ରୟାସ। ଉଭୟ ୭ମ ଉଇକେଟରେ ୨୪୭ ବଲ୍‌ରୁ ୧୫୮ ରନର ଭାଗୀଦାରି ଗଢ଼ିଥିଲେ। ୪୦୫ ବଲ୍‌ର ସମ୍ମୁଖୀନ ହୋଇଥିବା ଶାନ୍ତନୁ ୨୧ ଚୌକା ସହାୟତାରେ ୨୦୦ ରନ ପୂରଣ କରିବା ପରେ ଓଡ଼ିଶା ଇନିଂସ ଘୋଷଣା କରିଥିଲା। ପ୍ରୟାସ ୧୪୧ ବଲ୍‌ରୁ ୧୫ ଚୌକା ଓ ୧ ଛକା ସହାୟତାରେ ୧୦୪ ରନ କରିଥିଲେ। ପ୍ରୟାସଙ୍କ କ୍ୟାରିୟରର ମଧ୍ୟ ଏହାଥିଲା ପ୍ରଥମ ରଣଜୀ ଶତକ। ଦ୍ୱିତୀୟ ମ୍ୟାଚରେ ସେ ଶତକ ହାସଲ କରି ନିଜ ବ୍ୟାଟିଂ ଦକ୍ଷତାର ପ୍ରମାଣ ଦେଇଛନ୍ତି। ନାଗାଲାଣ୍ଡ ବୋଲରଙ୍କ ମଧ୍ୟରେ ଆକାଶ ସିଂ ୪ଟି ଓ ରଙ୍ଗସେନ ଜୋନାଥନ ୩ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ନାଗାଲାଣ୍ଡ ପ୍ରଥମ ଇନିଂସ: ୪୩୩। ଓଡ଼ିଶା ପ୍ରଥମ ଇନିଂସ: ୫୩୫/୮/ଘୋଷଣା (ଶାନ୍ତନୁ ମିଶ୍ର-୨୦୦*, ପ୍ରୟାସ ସିଂ-୧୦୪, ଅନୁରାଗ ଷଡ଼ଙ୍ଗୀ-୮୪, ଶୁଭ୍ରାଂଶୁ ସେନାପତି-୬୭, ଆକାଶ ସିଂ-୪/୭୩, ରଙ୍ଗସେନ ଜୋନାଥନ-୩/୧୩୩, ଇମଲିଓ୍ବାତି ଲେମଟୁର-୧/୧୧୮)। ନାଗାଲାଣ୍ଡ ଦ୍ୱିତୀୟ ଇନିଂସ: ୧୨୦/୧ (ଯୁଗନ୍ଧର ସିଂ-୫୩*, ଜୋଶୁଆ ଓଜୁକୁମ-୫୬, ଜୟନ୍ତ ବେହେରା-୧/୩୪)।

Share