ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟାଇବା ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ରେଲଓ୍ବେ ସୁରକ୍ଷା ଜୋନ୍ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ ହଟାଯିବ। ନିର୍ଦ୍ଦେଶ ଅନୁସାରେ ଆସନ୍ତା ୩ ମାସ ମଧ୍ୟରେ ୧୪୦ କିମି ଲମ୍ବ ରେଳ ଲାଇନ କଡ଼ରେ ଥିବା ଏସବୁ ଝୁମ୍ପୁଡ଼ିକୁ ଭଙ୍ଗାଯିବ। ପର୍ଯ୍ୟାୟକ୍ରମେ ଝୁମ୍ପୁଡ଼ିଗୁଡ଼ିକୁ ହଟାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ତେବେ ଏହି ପ୍ରସଙ୍ଗକୁ ନେଇ ଭାଜପା ଏବଂ ଏପିପି ସରକାର ମୁହାଁମୁହିଁ ହେବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଝୁମ୍ପୁଡ଼ି ନ ଭାଙ୍ଗିବା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଭାଜପା କହିଛି ଯେ, ରାଜ୍ୟ ସରକାର ଥଇଥାନ ପାଇଁ ୫୦ ହଜାର ଘର ଯୋଗାଇ ଦିଅନ୍ତୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ସମୟରେ ରାଜୀବ ରତନ ବାସଗୃହ ଯୋଜନା ଅନ୍ତର୍ଗତ ୫୨ ହଜାର ବାସଗୃହ ନିର୍ମିତ ହୋଇଥିବା ରାଜ୍ୟ ଭାଜପା ମୁଖ୍ୟ ଆଦେଶ ଗୁପ୍ତା କହିଛନ୍ତି। ରାଜ୍ୟ ସରକାରଙ୍କକ ପାଖରେ ୪୫ ହଜାର ୮୫୭ ଘର ରହିଛି। କେନ୍ଦ୍ର ସରକାର ଝୁମ୍ପୁଡ଼ି ବାସିନ୍ଦାଙ୍କୁ ଘର ଯୋଗାଇ ଦେବା ପାଇଁ ସହାୟତା କରିବା ଲାଗି ଏପିପି ନେତା ରାଘବ ଚଢ଼ା କହିଛନ୍ତି।