ଦେଶରେ କରର ସ୍ୱରୂପ

ସୁଜାତା ପ୍ରହରାଜ

 

ଯୁଗଜୟୀ କବି କାଳିଦାସ ‘ରଘୁବଂଶମ୍‌’ କାବ୍ୟରେ କହିଛନ୍ତି ‘ପ୍ରଜାନାମେବ ଭୂତ୍ୟର୍ଥଂ ସ ତାଭ୍ୟୋ ବଳିମଗ୍ରହୀତ/ସହସ୍ରଗୁଣମୁସ୍ତ୍ରଷ୍ଟୁମାଦତ୍ତେ ହି ରସଂ ରବି ।’ ଯେପରି ସୂର୍ଯ୍ୟ ପୃଥିବୀରୁ ଜଳ ଶୋଷି ନେଇ ପୃଥିବୀରେ ଜୀବନ ପାଇଁ ତାକୁ ବର୍ଷା ଆକାରରେ ପୁଣି ପୃଥିବୀକୁ ଫେରେଇ ଦିଏ, ଠିକ୍‌ ସେହିପରି ରାଜା (ଦିଲୀପ) ପ୍ରଜାମାନଙ୍କଠାରୁ ବଳି(କର) ଆଦାୟ କରି ପ୍ରଜାମାନଙ୍କର ସୁଖସୁବିଧା ପାଇଁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦିଅନ୍ତି। ମନୁସ୍ମୃତିରେ ପ୍ରଜା ନିଜର ସୁନାର ଏକ-ପଞ୍ଚମାଂଶ ଏବଂ ବାର୍ଷିକ ଫସଲର ଏକ- ଷଷ୍ଠାଂଶ, ଏକ- ଅଷ୍ଟମାଂଶ ବା ଏକ- ଦ୍ୱାଦଶାଂଶ କର ରାଜାଙ୍କୁ ଦେବାର ଉପଦେଶ ରହିଛି। ରାଜତନ୍ତ୍ର, ଗଣତନ୍ତ୍ର, ଏକଚ୍ଛତ୍ରବାଦ ବା ସାମନ୍ତବାଦ- ଯେ କୌଣସି ପ୍ରକାରର ଶାସନ ବ୍ୟବସ୍ଥା ହେଉ ଦେଶର ପରିଚାଳନା କରି ରାସ୍ତାଘାଟ, ଶିକ୍ଷା, ସାସ୍ଥ୍ୟ, ଆଲୋକ, ନିଯୁକ୍ତିସୁଯୋଗ ପରି ଅତ୍ୟାବଶ୍ୟକ ସାର୍ବଜନିକ ସେବାଯୋଗାଣ ତଥା ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ପ୍ରଚୁର ସମ୍ବଳର ଆବଶ୍ୟକତା ଅନସ୍ବୀକାର୍ଯ୍ୟ, ଯାହାର ବୃହତ୍‌ ଅଂଶ ଜନସାଧାରଣଙ୍କଠାରୁ କର ରୂପେ ସଂଗୃହୀତ ହୋଇଥାଏ।
ଶାସକ ଯେତେବେଳେ ଜନସାଧାରଣଙ୍କ ଉପରେ କର ବସାଇବାକୁ ଯାଆନ୍ତି କରଦାତାଙ୍କ ଆର୍ଥିକଅବସ୍ଥା ସର୍ବପ୍ରଥମେ ବିଚାର ହୋଇଥାଏ। ସାଧାରଣ ଲୋକଙ୍କର କରଦାନର କ୍ଷମତା ସେମାନଙ୍କର ଆୟର ପରିମାଣ ଉପରେ ନିର୍ଭରଶୀଳ ହୋଇଥିବାରୁ ଆୟ କରନିର୍ଦ୍ଧାରଣର ମୂଳଦୁଆ ହୋଇଥାଏ। ଆୟର ପରିମାଣ କରଧାର୍ଯ୍ୟର ଆଧାର ନ ହେଲେ ଦେଶରେ ଅସନ୍ତୋଷ ଓ ବିଭ୍ରାଟ ସୃଷ୍ଟି ହେବା ଥୟ। ରୁଷ, ଫ୍ରାନ୍ସ, ବ୍ରିଟେନ ପରି ଦେଶମାନଙ୍କରେ ଘଟିଥିବା ବିପ୍ଳବସବୁର ମୂଳକାରଣ ଅବିଚାରିତ କରଭାର। ଆୟର ତାରତମ୍ୟକୁ ହିସାବକୁ ନ ନେଲେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ଆର୍ଥିକଶୋଷଣର ଶିକାର ହେବା ସ୍ବାଭାବିକ।
ଗୋଟିଏ ଦେଶର ସବୁ ନାଗରିକଙ୍କର ଉପାର୍ଜନ ସମାନ ନୁହେଁ। ସବୁଲୋକ ଯେ ଆୟକାରୀ ତାହା ମଧ୍ୟ ନୁହେଁ। ଏହାର ଆଧାରରେ କରର ପ୍ରକାରଭେଦ ହୋଇଥାଏ- ପ୍ରତ୍ୟକ୍ଷ ଓ ପରୋକ୍ଷ କର ଏବଂ ପ୍ରଗତିଶୀଳ ଓ ପ୍ରତିଗାମୀ କର। ଯେଉଁ କରକୁ ସ୍ବୟଂ କରଦାତାଙ୍କୁ ଦେବାକୁ ପଡ଼େ ଏବଂ ସେ କରଭାରକୁ ଅନ୍ୟ କାହା ଉପରକୁ ଖସାଇ ପାରନ୍ତି ନାହିଁ ତାହା ପ୍ରତ୍ୟକ୍ଷ କର। କିନ୍ତୁ ପରୋକ୍ଷ କରକୁ ସହଜରେ ଅନ୍ୟ ମୁଣ୍ଡ ଉପରକୁ ଖସେଇ ଦିଆଯାଏ। ପ୍ରତ୍ୟକ୍ଷକର ସମସ୍ତେ ଦେଉ ନ ଥିବା ବେଳେ ପରୋକ୍ଷକର ସମସ୍ତେ ଦେବାକୁ ବାଧ୍ୟ।
ଆୟ ଅନୁପାତରେ କର ସ୍ଥିର ହେଲେ ଅର୍ଥାତ୍‌ ଉଚ୍ଚ ଆୟକାରୀ କର ନିମ୍ନଆୟକାରୀ ଅପେକ୍ଷା ଅଧିକ ହେଲେ ତାହା ପ୍ରଗତିଶୀଳ ବୋଲି କୁହାଯାଏ। ଧନୀ ଗରିବ ସମସ୍ତଙ୍କୁ ସମାନ କର ଦେବାକୁ ହେଲେ ସେ କର ବ୍ୟବସ୍ଥା ପ୍ରତିଗାମୀ ହୋଇଥାଏ। ପ୍ରଗତିଶୀଳ କର ଅର୍ଥନୈତିକ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା କରୁଥିବା ବେଳେ ପ୍ରତିଗାମୀ କର ଅର୍ଥନୈତିକ ଓ ସାମାଜିକ ନ୍ୟାୟର ପରିପନ୍ଥୀ। ଭାରତ କ୍ଷେତ୍ରରେ ଆୟକର, ସମ୍ପଦକର, ନିଗମ କର ଓ ପୁଞ୍ଜିଗତ କର ପରି ପ୍ରତ୍ୟକ୍ଷ କର ପ୍ରଗତିଶୀଳ ହୋଇଥିବା ବେଳେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ପ୍ରତିଗାମୀ କର। ଜିଏସ୍‌ଟି, ସୀମାଶୁଳ୍କ ଏବଂ ଉତ୍ପାଦଶୁଳ୍କରୁ ଦେଶର ମୋଟ ଆୟର ୪୮.୫% ଅର୍ଥାତ୍‌ ପ୍ରାୟ ଅଧା ଆଦାୟ ହୁଏ।
ଭାରତୀୟ କରଦାତା ଭାରତର କର ବ୍ୟବସ୍ଥାକୁ ଜନବିରୋଧୀ କହୁଥିବା ବେଳେ ବହୁ ବିଦେଶ ରାଷ୍ଟ୍ର ତୁଳନାରେ ଭାରତରେ କରହାର କମ୍‌। ଜାପାନ, ଆମେରିକା ପରି ଦେଶରେ କରହାର ଅଧିକା ହେଲେ ମଧ୍ୟ ଲୋକ କର ଦେବାକୁ କୁଣ୍ଠାବୋଧ କରନ୍ତିନି କାରଣ ଏଠାରେ ସରକାର ସମସ୍ତ ପ୍ରକାରର ମୌଳିକ ସାର୍ବଜନିକ ସେବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଆଦି ସାମାଜିକ ସୁରକ୍ଷା ମାଗଣା ବା ଅତି କମ ଦେୟରେ ଯୋଗାଇ ଦିଅନ୍ତି। କିନ୍ତୁ ଭାରତରେ ଆୟ ଏବଂ ଦ୍ରବ୍ୟ ଓ ସେବା ଉପରେ କର ସହିତ ସାର୍ବଜନିକ ସୁବିଧା ତଥା ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ ଅଲଗା ଦେୟ ରହିଥାଏ।
ବିଭିନ୍ନ ସଂସ୍ଥାମାନଙ୍କର ଆକଳନ ଅନୁସାରେ ଭାରତରେ କରଦାତାଙ୍କ ସଂଖ୍ୟା ଆଠ କୋଟି, ଯାହା ସମୁଦାୟ ଜନସଂଖ୍ୟାର ୬%ରୁ କମ୍‌। ବାର୍ଷିକ ଅଢ଼େଇ ଲକ୍ଷ ଟଙ୍କାରୁ କମ୍‌ ରୋଜଗାର କରୁଥିବା ଲୋକ ସମୁଦାୟ କରଦାତାଙ୍କ ୫୭% ଏବଂ ପଚାଶ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକ ସମୁଦାୟ କରଦାତାଙ୍କର ୧%। ମାତ୍ର ତିନିଜଣ ଭାରତୀୟ ୧୦୦ କୋଟି ଟଙ୍କାରୁ ଅଧିକ କର ଦିଅନ୍ତି ଯଦିଓ ଦେଶରେ ଅରବପତିଙ୍କ ସଂଖ୍ୟା ୨୦୨୧ ଅନୁସାରେ ତଥ୍ୟ ୧୬୬। ୮୫% କରଦାତା ଦେଢ଼ଲକ୍ଷ ଟଙ୍କାରୁ କମ୍‌ କର ଦିଅନ୍ତି।
ଅର୍ଥନୈତିକ ବୈଷମ୍ୟ ଓ କ୍ଷମତା ପାଇଁ ରାଜନୈତିକ ବାଧ୍ୟବାଧକତା ଗୋଟିଏ ଦେଶରେ କରଦରରେ ବୈଷମ୍ୟ ସୃଷ୍ଟି କରିଥାଏ। ଦେଶର ଅର୍ଦ୍ଧାଧିକ ଲୋକ କରମୁକ୍ତ। ତାହା ଉପରେ ରହିଛି ମାଗଣାବଣ୍ଟନର ଭାର, ଯାହା ଦିନକୁଦିନ ଉଗ୍ର ହେବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଯେମିତି ମାଗଣାବଣ୍ଟନର ପ୍ରତିଯୋଗିତା ଚାଲିଛି। ମା’ ପେଟରୁ ମଶାଣିରେ ଦାହ ହେବା ପର୍ଯ୍ୟନ୍ତ ସବୁ ମାଗଣା। ଏହା ଏକ ସାମାଜିକ ଓ ଅର୍ଥନୈତିକ ବ୍ୟାଧିରେ ପରିଣତ ହେଲାଣି। ଯୁବସମାଜ କର୍ମଭୀରୁ ହେବା ସହିତ ଦେଶରେ ଅପରାଧ ବୃଦ୍ଧି ପାଉଛି। ଦେଶର ଅର୍ଥନୀତିରେ ଏକ ବଡ଼ ଅଂଶୀଦାରର କୌଣସି ଯୋଗଦାନ ନାହିଁ। ଏହାଛଡ଼ା ରହିଛନ୍ତି ବଡ଼ଚାଷୀ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏକ ତଥ୍ୟ ଅନୁସାରେ ଦେଶରେ ଆଠଲକ୍ଷରୁ ଅଧିକ ବଡ଼ଚାଷୀ ଅଛନ୍ତି; ଯେଉଁମାନଙ୍କର ବାର୍ଷିକ ଆୟ ଏକକୋଟି ଟଙ୍କାରୁ ଅଧିକ। ସମସ୍ତ ପ୍ରକାରର ସବ୍‌ସିଡିର ସୁଯୋଗ ନେବା ସହିତ ସେମାନେ କର ଦେଉ ନାହାନ୍ତି। ଦେଶରେ ସରକାରୀ ଓ ବେସରକାରୀ ଚାକିରିଆଙ୍କୁ ଆୟକର ସହିତ ଅନ୍ୟ ସମସ୍ତ କର ଦେବାକୁ ପଡ଼ୁଥିବାରୁ ସେମାନେ ଏହାକୁ ନିଜର ଦେଶଭକ୍ତି ଓ ସାଧୁତାର ଦଣ୍ଡ ବୋଲି ଭାବନ୍ତି। ତେଣୁ ସ୍ବେଚ୍ଛାରେ କର ଦେବାକୁ ଚାହୁଁ ଥିବା ଲୋକ କମ୍‌, ସମୁଦାୟ କରଦାତାଙ୍କର ୧୧.୬%।
ଭାରତରେ ସବୁବର୍ଗର ଲୋକଙ୍କ ସୁବିଧାସୁଯୋଗ, ଆକାଂକ୍ଷା ଓ ଅର୍ଥନୈତିକ ଅବସ୍ଥାକୁ ଦୃଷ୍ଟିରେ ରଖି ଦେଶ ଚଳେଇବା ଏକ ଦୁରୂହ ବ୍ୟାପାର। କର ଯେହେତୁ ଦେଶର ଆୟର ପ୍ରମୁଖ ସ୍ରୋତ କରବ୍ୟବସ୍ଥା ସରଳ, ସ୍ବଚ୍ଛ ଓ ନ୍ୟାୟସଙ୍ଗତ ହେବା ସହ ଅର୍ଥନୀତିକୁ ଚଳେଇବା ପାଇଁ ଏହା ଆବଶ୍ୟକତାନୁକୂଳ ହେବା ଉଚିତ। ଆୟକର ପ୍ରଗତିଶୀଳ ହୋଇଥିଲେ ମଧ୍ୟ ଆୟକାରୀଙ୍କର ଏକ ବଡ଼ଅଂଶ ଏହାର ସୀମା ବାହାରେ ରହିବା ଏବଂ ହିସାବ ଅନୁସାରେ କର ନ ଦେବା ଦେଶର ଅର୍ଥନୈତିକ ସ୍ବାସ୍ଥ୍ୟର ପରିପନ୍ଥୀ। ବଡ଼ଚାଷୀମାନଙ୍କୁ ଦିଆଯାଉଥିବା ସବ୍‌ସିଡିର ଠିକ୍‌ ମୂଲ୍ୟାୟନ ହେବା ସହିତ ସଂପୂର୍ଣ୍ଣ କରଛାଡ଼ ବନ୍ଦ ହେବା ଉଚିତ। ଅନେକ ପରୋକ୍ଷ କରର ମିଶ୍ରଣରେ ଜିଏସ୍‌ଟିର ପ୍ରଚଳନ ଏକ ଯୁଗାନ୍ତକାରୀ ପଦକ୍ଷେପ। ଜିଏସ୍‌ଟିର ପ୍ରଚଳନ ପରେ ଦେଶରେ ପରୋକ୍ଷ କର ଅସୁଲ ବୃଦ୍ଧି ପାଇଛି। ହେଲେ ଏହାର ସରଳୀକରଣର ଆବଶ୍ୟକତା ରହିଛି। ଧନୀ ଗରିବ ଏକାପ୍ରକାରର ଜିନିଷ ବା ସେବା ପାଇଁ ସମାନ କର ଦେବା ଠିକ୍‌ ନୁହେଁ। କରଦାତାଙ୍କର ଅର୍ଥନୈତିକ ଅବସ୍ଥା ହିସାବରେ ଏହା ସ୍ଥିରୀକୃତ ହେବା ଉଚିତ।
ଭାରତୀୟ କରବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି। ତଥାପି କରଦାତାଙ୍କର ଚିହ୍ନଟ ଓ କର ବ୍ୟବସ୍ଥାରେ ଥିବା ଗଳାବାଟ ବନ୍ଦ ପାଇଁ ସର୍ବାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯିବା ଉଚିତ। କରଆଦାୟର ଧାରା ସହଜ ଓ ସମସ୍ୟାରହିତ ହେବା ସହିତ କର ଅସୁଲର ଖର୍ଚ୍ଚଭାର କମ ହେବା ବାଞ୍ଛନୀୟ କାରଣ ଭାରତରେ କର ଅସୁଲ ପ୍ରକ୍ରିୟା ବେଶ କ୍ଳୀଷ୍ଟ ଏବଂ ବ୍ୟୟସାପେକ୍ଷ। ନାଗରିକମାନେ ଯେତେବେଳେ ଅନୁଭବ କରିବେ ଯେ ସେମାନେ ଦେଉଥିବା କର ଗରିବକଲ୍ୟାଣ, ସାମାଜିକସୁରକ୍ଷା ଯୋଗାଣ ତଥା ଦେଶର ସାମୂହିକ ବିକାଶ ପାଇଁ ଖର୍ଚ୍ଚ ହେଉଛି, ସେମାନଙ୍କର ଦେଶପ୍ରେମ ଓ ଦେଶ ପାଇଁ ପ୍ରତିବଦ୍ଧତାର ଭାବନା ସ୍ବତଃ ଜାଗ୍ରତ ହେବ। କରଅସୁଲ ବଢ଼ିବ ଏବଂ ଦେଶର ମୋଟ ଜାତୀୟ ଉତ୍ପାଦରେ ଶୁଳ୍କ ଅନୁପାତ ବୃଦ୍ଧି ପାଇବ। ପ୍ରତି ଭାରତୀୟର ଆଶାନୁରୂପ ଦେଶ ବିକାଶପଥରେ ଲମ୍ଫ ପ୍ରଦାନ କରି ବିଶ୍ୱର ଅନ୍ୟତମ ପ୍ରଗତିଶୀଳ ରାଷ୍ଟ୍ର ଭାବରେ ଠିଆ ହେବ।
ଭୁବନେଶ୍ବର, ମୋ:୮୨୪୫୭୦୫୪୨୧


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri