Categories: ଜାତୀୟ

ଆଜାଦ ମଇଦାନରେ କୃଷକ ରାଲିକୁ ସମ୍ବୋଧନ କରିବେ ଶରଦ ପାୱାର, ଆଦିତ୍ୟ ଠାକରେ

ମୁମ୍ବାଇ,୨୫ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ହୋଇଛି ସରଗରମ । ଏବେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ମହାରାଷ୍ଟ୍ରର କୃଷକମାନେ ମଧ୍ୟ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି । ସୋମବାର ଅଲ ଇଣ୍ଡିଆ କୃଷକ ସଭାର ନେତୃତ୍ୱରେ ନାସିକରୁ ପାଦରେ ଚାଲି ଚାଲି ହଜାର ହଜାର ସଂଖ୍ୟାରେ କୃଷକ ମୁମ୍ବାଇ ପହଞ୍ଚିଛନ୍ତି । ଏଠାରେ ଥିବା ଆଜାଦ ମଇଦାନରେ କୃଷକଙ୍କର ଏକ ବଡ ରାଲିର ଡାକରା ଦିଆଯାଇଛି । ଏହି ରାଲିକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାର ଓ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସମେତ କେତେଜଣ କଂଗ୍ରେସ ନେତା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ହେଉଛି କି ଏହି ମାଧ୍ୟମରେ ଶାସକ ଦଳ ଗୁଡିକ ଗ୍ରାମୀଣ ଅଞ୍ଚଳରେ ନିଜର ସ୍ଥିତି ମଜଭୁତ କରିବାକୁ ଚେଷ୍ଟା କରିବେ । ଅନ୍ୟପଟେ ଅଲ ଇଣ୍ଡିଆ କୃଷକ ସଭାର ପ୍ରବକ୍ତା ଅଶୋକ ଧବଳେ କହିଛନ୍ତି, ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନେବା । ଏହାସହ ଦିଲ୍ଲୀ ସୀମାରେ ଏହାକୁ ନେଇ ଆନ୍ଦୋଳନରେ ବସିଥିବା କୃଷକଙ୍କୁ ସମର୍ଥନ କରିବା ।

Share