Categories: ଜାତୀୟ

ପୁଣି ଗୋଟିଏ ମଞ୍ଚରେ ଦେଖାଦେବେ ଶରଦ ପାଓ୍ବାର-ଅଜିତ…

ମୁମ୍ବାଇ,୧୧।୭ : ଏନସିପିରେ ବିଭାଜନ ପରେ ପରସ୍ପର ବିରୋଧରେ ଫ୍ରଣ୍ଟ ଖୋଲିଥିବା ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ପୁଣି ଥରେ ସମାନ ମଞ୍ଚରେ ଦେଖିବାକୁ ମିଳିବ। ଅଗଷ୍ଟ ୧ ରେ ପୁଣେରେ ଲୋକମାନ୍ୟ ତିଲକ ମେମୋରିଆଲ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯିବ। ରିପୋର୍ଟ ଅନୁଯାୟୀ, ଉଭୟ ଶରଦ ଏବଂ ଅଜିତ ପାୱାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଭଳି ପରିସ୍ଥିତିରେ ଦଳରେ ବିଭାଜନ ପରେ ଏହା ପ୍ରଥମ ଥର ହେବ ଯେତେବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ।

ଟ୍ରଷ୍ଟ କହିଛି ପ୍ରଧାନମନ୍ତ୍ରୀ ମୋଦgଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ତାଙ୍କ ନେତୃତ୍ୱ ପାଇଁ ଏବଂ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସୃଷ୍ଟି ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ମୋଦି ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନାକୁ ଜାଗ୍ରତ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଭାରତକୁ ସମ୍ମାନିତ କରିଛନ୍ତି। ତାଙ୍କର କାର୍ଯ୍ୟ ଏବଂ ପରିଶ୍ରମକୁ ଧ୍ୟାନରେ ରଖି ଟ୍ରଷ୍ଟିମାନେ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି ।

ଲୋକମାନ୍ୟ ତିଲକଙ୍କ ୧୦୩ ତମ ମୃତ୍ୟୁ ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଟ୍ରଷ୍ଟ ଦ୍ୱାରା ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ ଶରଦ ପାୱାର ଏହି କାର୍ଯ୍ୟର ମୁଖ୍ୟ ଅତିଥି ହେବେ। ଏହି କାର୍ଯ୍ୟକ୍ରମରେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଶରଦ ପାୱାର ସମ୍ବୋଧିତ କରିବେ। ଏହା ବ୍ୟତୀତ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ, ସିଏମ ଏକନାଥ ଶିନ୍ଦେ, ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାର, କଂଗ୍ରେସ ନେତା ସୁଶୀଲ କୁମାର ଶିନ୍ଦେ ମଧ୍ୟ ଯୋଗଦେବେ।

Share