Categories: ଜାତୀୟ

‘ମହିଳା ସଂରକ୍ଷଣ ବିଲ୍‌’କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ…

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ…
ନୂଆଦିଲ୍ଲୀ,୫।୯: ‘ମହିଳା ସଂରକ୍ଷଣ ବିଲ୍‌’କୁ ନେଇ ଦେଶରେ ପୁଣି ଆଲୋଚନା ତୀବ୍ର ହୋଇଛି। ଜୟପୁରର ମହାରାଣୀ ମହାବିଦ୍ୟାଳୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ଆଲୋପକାତ କରିଥିଲେ। ତେବେ ଏନେଇ ବିରୋଧୀ ଦଳର ବହୁ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଏନସିପି ନେତା ଶରଦ ପାୱାର ଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଭାଜପା ସଂସଦରେ ଏହି ବିଲକୁ ଆଗତ କଲେ ଆମେ ନିଶ୍ଚିତ ଭାବେ ଏହାକୁ ସମର୍ଥନ କରିବୁ। ଏଥିସହ ସେ ଭାଜପାକୁ ଟାର୍ଗେଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ସଂସଦ ହେଉ କି ବିଧାନସଭାରେ ମହିଳାଙ୍କୁ ସଂରକ୍ଷଣ ପ୍ରଦାନ କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ କଣ କରାଯିବା ଉଚିତ ତାହା ଉପରେ ଆଲୋଚନା କରାଯାଇପାରେ। କିନ୍ତୁ ଏହାକୁ ପ୍ରଥମେ ସଂସଦରେ ଗ୍ରହଣ କରାଯିବା ଆବଶ୍ୟକ। ଯଦି ଭାଜପା ଏହି ବିଲକୁ ପ୍ରସ୍ତାବ କରିବ ତେବେ ଆମେ ନିଶ୍ଚିତ ଭାବେ ଏହାକୁ ସମର୍ଥନ କରିବୁ। କିନ୍ତୁ ମୋର ବିଶ୍ୱାସ ଯେ ଭାଜପା ଏହି ବିଲକୁ ପ୍ରାଥମିକତା ଦେବ ନାହିଁ। ସଂସଦର ୫ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଏହା ଆସିବ ନାହିଁ ।

ତାମିଲନାଡୁର ବିରୁଧୁନଗର କଂଗ୍ରେସ ସାଂସଦ ମାଣିକମ ଟାଗୋର ମଧ୍ୟ ମହିଳା ସଂରକ୍ଷଣ ବିଲ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆମେ ଏହାକୁ ସମର୍ଥନ କରିବୁ। ଭାଜପା ଏହି ବିଲକୁ ସଂସଦରେ ଆଣିଲେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ମଧ୍ୟ ଏହାକୁ ସମର୍ଥନ କରିବ।

ସେ ଆହୁରି କହିଛନ୍ତି, “ସୋନିଆ ଗାନ୍ଧୀ ସର୍ବଦା ମହିଳା ସଂରକ୍ଷଣ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି ଏବଂ ୟୁପିଏ କାର୍ଯ୍ୟକାଳ ମଧ୍ୟରେ ଏହା ରାଜ୍ୟସଭାରେ ପାରିତ ହୋଇଥିଲା। କିନ୍ତୁ ଏହାକୁ ଲୋକସଭାରେ ପାରିତ କରିପାରିଲୁ ନାହିଁ କାରଣ ଆମ ପାଖରେ ବହୁମତ ନ ଥିଲା ବର୍ତ୍ତମାନ ଭାଜପା ଯଦି ଏହି ବିଧେୟକ ସଂସଦରେ ପ୍ରସ୍ତାବିତ କରେ ତେବେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ଏହାକୁ ଖୁସରେ ସମର୍ଥନ କରିବ।

ମହିଳା ସଂରକ୍ଷଣ ବିଲ ଉପରେ ଆରଜେଡି ସାଂସଦ ମନୋଜ ଝା କହିଛନ୍ତ, ମହିଳା ସଂରକ୍ଷଣ ବିଲ ଆସିଲେ ଆମ ଗଣତନ୍ତ୍ରକୁ ଆହୁରି ମଜବୁତ ହେବ। ଏହି ବିଲ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି। ଆମ ଦଳ ବିଶ୍ୱାସ କରେ ଯେ, ମହିଳା ସଂରକ୍ଷଣ ବିଲର ଉଦ୍ଦେଶ୍ୟ ଗଣତନ୍ତ୍ରକୁ ମଜବୁତ କରିବା।। ବିଲରେ ଏସଟି/ଏସସି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବା ଉଚିତ। ଯଦି ଏହି ବିଲ୍‌ ନ ଆସେ ତେବେ ଆମକୁ ଆଗାମୀ ୨୫ ବର୍ଷ ଯାଏଁ ଏକ ଯୁଦ୍ଧ ଲଢିବାକୁ ପଡିବ। ଏହି ଅଧିବେଶନରେ ଆମକୁ ଏହି ବିଲ୍‌କୁ ପାରିତ କରିବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ ହେଲେ ସଂସଦରେ ପ୍ରାୟ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ମିଳିବ। ଏହି ବିଲ ରାଜ୍ୟସଭାରେ ପାରିତ ହୋଇ ଲୋକସଭାରେ ଅନେକ ଥର ଆଗତ କରାଯାଇଛି। ୯ ମାର୍ଚ୍ଚ ୨୦୧୦ରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା। ଭାଜପା, ଜେଡିୟୁ ଓ ବାମପନ୍ଥୀ ଦଳର ସମର୍ଥନରେ ରାଜ୍ୟସଭାରେ ବହୁମତ ପାଇ ଏହି ବିଲ ପାରିତ ହୋଇଥିଲା। ତେବେ ଲୋକସଭା ଏହି ବିଲ ସଂଖ୍ୟା ଗରିଷ୍ଠତା ନ ପାଇବାରୁ ପାରି ହୋଇପାରି ନାହିଁ।

Share