Categories: ଜାତୀୟ

ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ଖାରଜ କରିବା ସପକ୍ଷରେ ନୁହଁନ୍ତି ଶରଦ

ନୂଆଦିଲ୍ଲୀ,୧ ।୭: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବେଶ କିଛିଦିନ ହେବ ବିଭିନ୍ନ ରାଜ୍ୟର କୃଷକମାନେ ଆନ୍ଦୋଳନ କରିଥିଲେ ମଧ୍ୟ ଏଯାଏଁ ତା’ର କୌଣସି ସମାଧାନ ହୋଇପାରି ନାହିଁ । କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ ଥିବା ବେଳେ କୃଷକମାନେ ମଧ୍ୟ ସେମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତି । ଏବେ ଏହି କୃଷି ଆଇନକୁ ନେଇ ଏନ୍‌ସିପି ମୁଖ୍ୟ ଶରଦ ପାୱାର ତାଙ୍କ ମନ୍ତବ୍ୟ ରଖିଛନ୍ତି । ସେ ଏହି ବିବାଦୀୟ କୃଷି ଆଇନକୁ ସମ୍ପୂର୍ଣ୍ଣ ଖାରଜ କରିବା ଅପେକ୍ଷା ବରଂ ଯେଉଁ ଭାଗକୁ ନେଇ କୃଷକମାନେ ଆନ୍ଦୋଳନ କରିଛନ୍ତି ସେଥିରେ ସଂଶୋଧନ କରାଯାଉ ବୋଲି ସେ କହିଛନ୍ତି । ତେବେ ମହାରାଷ୍ଟ୍ର ସରକାରଙ୍କ କେତେଜଣ ମନ୍ତ୍ରୀ ଏହାକୁ ନେଇ ବିଚାର କରୁଛନ୍ତି ବୋଲି ଶରଦ କହିଛନ୍ତି । ଏହି ନୂଆ କୃଷି ଆଇନର ଉଭୟ ପକ୍ଷକୁ ନଜରରେ ରଖି ଏହାକୁ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ପୂର୍ବତନ କୃଷିମନ୍ତ୍ରୀ ଶରଦ ପାୱାର କହିଛନ୍ତି ରାଜ୍ୟ ସରକାର ଏହି କୃଷି ଆଇନରେ ଥିବା ବିବାଦୀୟ ଅଂଶକୁ ବିଚାରକୁ ନେଇ ଏହାପରେ କୌଣସି ନିଷ୍ପତ୍ତି ନେବା ଠିକ୍ ହେବ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକମାନେ ଦିଲ୍ଲୀ ସମେତ କିଛି ସ୍ଥାନରେ ବହୁଦିନ ହେଲା ଆନ୍ଦୋଳନ କରି ଆସୁଛନ୍ତି ।

Share