Categories: ଜାତୀୟ

ସଞ୍ଜୟ ସିଂଙ୍କ ନିଲମ୍ବନର ବିରୋଧ ପ୍ରଦର୍ଶନରେ ପହଞ୍ଚିଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୫।୭: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ଉତ୍ତେଜନା ଜାରି ରହିଛି। ବିରୋଧୀ ଏମ୍‌ପିମାନେ ସରକାରଙ୍କ ବିରୋଧରେ ଲଗାତାର ନାରାବାଜି କରୁଛନ୍ତି। ଏହି ସମୟରେ ସୋମବାର ଆମ ଆଦମୀ ଦଳର ଏମ୍‌ପି ସଞ୍ଜୟ ସିଂଙ୍କୁ ରାଜ୍ୟ ସଭାର ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ଯାହା ବିରୋଧରେ ବର୍ତ୍ତମାନ ସମସ୍ତ ବିରୋଧୀଦଳର ନେତା ବିରୋଧ କରୁଛନ୍ତି। ଏହି ପ୍ରଦର୍ଶନରେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସାମିଲ ହୋଇଛନ୍ତି। ଅନ୍ୟ ବିରୋଧୀଦଳ ନେତାଙ୍କ ସହ ସଂସଦ ପରିସରରେ ପହଞ୍ଚି ଏଏପି ଏମ୍‌ପିଙ୍କ ନିଲମ୍ବନକୁ ସେ ବିରୋଧ କରିଛନ୍ତି।

ଆମ ଆଦମୀ ଦଳର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ନିଲମ୍ବନ କରିବା ଏବଂ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳର ନେତାମାନେ ଗତ ୨୪ଘଣ୍ଟା ଧରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ସମୟରେ ଶରଦ ପାୱାର ମଧ୍ୟ ସଞ୍ଜୟ ସିଂଙ୍କ ପାଖରେ ଥିବା ଚେୟାରରେ ବସିଥିବାର ନଜର ଆସିଛନ୍ତି। ପ୍ରଦର୍ଶନରେ ଅଂଶଗ୍ରହଣ କରିବା ପରେ ସେ ଟୁଇଟରରେ ନିଜର ଏକ ଫଟୋ ମଧ୍ୟ ପୋଷ୍ଟ କରଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଆଜି ବାକି ବିରୋଧୀ ଦଳର ନେତାଙ୍କ ସହ ଆମ ଆଦମୀ ଦଳର ଏମ୍‌ପି ସଞ୍ଜୟ ସିଂଙ୍କ ସମର୍ଥନରେ ତଥା ତାଙ୍କ ନିଲମ୍ବନ ବିରୋଧରେ ସେ ଏହି ପ୍ରଦର୍ଶନରେ ଭାଗ ନେଇଛନ୍ତି।

Share