Categories: ଜାତୀୟ

ବିରୋଧୀଙ୍କ ବୈଠକରେ ଓଓ୍ବାଇସିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ସରକାର ଏବଂ ବିରୋଧୀ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଚଳିତ ଥର ବିରୋଧୀ ମିଳିତ ଭାବେ ପ୍ରାର୍ଥୀ ଦେବାକୁ ସୁନିଶ୍ଚିତ କରିଛି। ଏଥିପାଇଁ ଅନେକ ଦଳ ଲଗାତର ବୈଠକ କରୁଥିବା ବେଳେ ପ୍ରାର୍ଥୀ ନେଇ ଏବେ ବି ମନ୍ଥନ ଜାରି ରହିଛି। ଇତିମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କୁ ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପଠାଇଛନ୍ତି। ଏହାପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ବୈଠକରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟଙ୍କୁ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଏବେ ଶରଦ ପାଓ୍ବାର ନିଜେ ଓଓ୍ବାଇସିଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ ପଠାଇଛନ୍ତି। ଚଳିତ ଥର ତାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି କୁହାଯାଉଛି। ତେବେ ପାଓ୍ବାରଙ୍କ ଏହି ନିମନ୍ତ୍ରଣକୁ ଓଓ୍ବାଇସି ମଧ୍ୟ ସହୃଦୟର ସହ ସ୍ବାଗତ ଜଣାଇଛନ୍ତି। ହେଲେ ସେ ନିଜେ ଏହି ବୈଠକରେ ସାମିଲ ହେବା ପରିବର୍ତ୍ତେ ତାଙ୍କ ଦଳର ପ୍ରତିନିଧି ଯୋଗଦେବେ ବୋଲି ଅସଦୁଦ୍ଦିନ କହିଛନ୍ତି।

Share