Categories: ଜାତୀୟ

କିଛି ଲୋକ ଭାବୁଛନ୍ତି ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ: ପାଓ୍ବାର

ନୂଆଦିଲ୍ଲୀ,୧୯।୭: ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ। ବର୍ତ୍ତମାନ ପାଇଁ ସରକାର ଲକ୍‌ଡାଉନ୍‌ ଯୋଗୁ ଅର୍ଥନୀତିରେ ହୋଇଥିବା କ୍ଷତି ପ୍ରତି ଧ୍ୟାନ ଦେବା ଉଚିତ। ପ୍ରଥମେ କ’ଣ ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ଆମକୁ ସ୍ଥିର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। କରୋନାକୁ ହଟାଇବା ପାଇଁ ସରକାର କାର୍ଯ୍ୟ କରିବା ଜରୁରୀ। ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣରେ ଭୁମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ପ୍ରଚାର ହେବା ପରେ ପାଓ୍ବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ଶନିବାର ଦିନ ଅଯୋଧ୍ୟାରେ ରାମ ଜନ୍ମଭୂମି ତୀର୍ଥ କ୍ଷ୍ରେତ ଟ୍ରଷ୍ଟର ଏକ ବୈଠକ ହୋଇଥିଲା। ଏହି ବୈଠକରେ ଭୁମି ପୂଜନର ତାରିଖ କ’ଣ ହେବା ଉଚିତ ସେ ବିଷୟରେ ଆଲୋଚନା କରାଯାଇଥିଲା। ଅଗଷ୍ଟ ୩ ଏବଂ ୫ ତାରିଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)କୁ ଟ୍ରଷ୍ଟ ପଠାଇଛି। ତେବେ ସୂତ୍ରରୁ ପ୍ରକାଶ ଯେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତ କରିପାରନ୍ତି। ଏହି ତାରିଖ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।

Share