Categories: ଜାତୀୟ

ଅଜିତ ଆମ ନେତା ବୋଲି ମୁଁ କହିନାହିଁ: ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ମୁଖ୍ୟ ଶରଦ ପାଓ୍ବାରଙ୍କ ୟୁ-ଟର୍ଣ୍ଣ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଜିତ ପାଓ୍ବାର ଭାଜପା ସହ ହାତ ମିଳାଇଥିଲେ ହେଁ ତାଙ୍କୁ ସେ ଦଳର ନେତା ଭାବେ ବିବେଚନା କରିଥିଲେ। ଏପରିକି ଏନ୍‌ସିପିରେ କୌଣସି ଫାଟ ନାହିଁ ବୋଲି କହିଥିଲେ। ଏହି ବୟାନକୁ ନେଇ ବିବାଦ ଉପୁଜିବାରୁ ଏବେ ସେ ୟୁ-ଟର୍ଣ୍ଣ ନେଇଛନ୍ତି। ସିନିୟର ପାଓ୍ବାର କହିଛନ୍ତି, ‘ଅଜିତ ଆମର ନେତା ବୋଲି ମୁଁ କହିନାହିଁ। ସୁପ୍ରିୟା(ସୁଲେ) ଏଭଳି କହିବା ଠିକ୍‌। କାରଣ ସେ ହେଉଛନ୍ତି ତାଙ୍କ ସାନ ଭଉଣୀ। ମୋ ବୟାନରୁ କୌଣସି ରାଜନୈତିକ ଅର୍ଥ ବାହାର କରିବାର ଆବଶ୍ୟକତା ନାହିଁ। ’

ତେବେ ଗୁରୁବାର ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଅଜିତଙ୍କୁ ଦଳର ଜଣେ ବିଧାୟକ ଏବଂ ବରିଷ୍ଠ ନେତା ବୋଲି ବୟାନ ଦେଇଥିଲେ। ଏହା ପରଠାରୁ ରାଜନୈତିକ ହଟଚମଟ ଜୋର ଧରିବା ସହ ଏନ୍‌ସିପିରେ ତାଙ୍କ ସ୍ଥିତି କ’ଣ ବୋଲି ଚର୍ଚ୍ଚା ହେଉଥିଲା। ଶରଦଙ୍କୁ ଶୁକ୍ରବାର ଏହି ବୟାନ ନେଇ ପଚରାଯାଇଥିଲା। ସେ ଏହାର ଜବାବରେ ଅଜିତ ଏବେ ବି ଏନ୍‌ସିପି ନେତା। ଏଥିରେ କୌଣସି ପ୍ରକାରର ଦ୍ୱିମତ ନାହିଁ। ଏନ୍‌ସିପିରେ କୌଣସି ଫାଟ ନାହିଁ ବୋଲି କହିଥିଲେ। ଏହା ନିଆଁରେ ଘିଅ ଢ଼ାଳିବା ଭଳି ବିବାଦକୁ ବଢ଼ାଇଥିଲା। ଏବେ ସେ ଏହାକୁ ନେଇ କଥା ବଦଳାଇଛନ୍ତି।

Share