ଶରତ ପାଢ଼ୀ ଆର୍‌ପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ

ତିହିଡ଼ି,୪।୯ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୁଆମାଳ ଗ୍ରାମର ଶରତ ଚନ୍ଦ୍ର ପାଢ଼ୀ ଆରପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ ପଦରେ ପ୍ରଥମ ଓଡ଼ିଆ ଭାବେ ଅବସ୍ଥାପିତ ହୋଇଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ରୀୟ ରେଳବାଇର ପ୍ରଧାନ ମୁଖ୍ୟ ସୁରକ୍ଷା କମିଶନର ଥିଲେ। ଆର୍‌ପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ ଥିବା ସଞ୍ଜୟ ସଂକୀର୍ତାୟନ ଗତ ମାସ ୩୧ ତାରିଖରେ ଅବସର ନେବା ପରେ ଶରତଙ୍କୁ ଗତ ୧ରେ ଅବସ୍ଥାପିତ କରାଯାଇଥିଲା। ସେ ସୋମବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ପୂର୍ବ କେନ୍ଦ୍ରୀୟ ରେଳ ଜୋନ୍‌ ପାଟନାଠାରେ ଆଇଜି ପଦବୀରେ ଥିବାବେଳେ ରେଳବାଇର ଅଗ୍ରଗତି ପାଇଁ ତାଙ୍କର ବିଶେଷ ଅବଦାନ ଥିଲା। କାର୍ଯ୍ୟଦକ୍ଷତା ପାଇଁ ଅଗଷ୍ଟ ୧୫ରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଥିଲା।

Share