Advertisement
Categories: ଖେଳ

ମେଗା ଅକ୍ସନରେ ମିଳି ନ ଥିଲା କ୍ରେତା, ତଥାପି IPL 2025 ଖେଳିବେ ଏହି ଖେଳାଳି?

ନୂଆଦିଲ୍ଲୀ,୧୬।୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୫ । ଏହା IPLର ୧୮ତମ ସିଜିନ ହେବ, ଯାହା ପାଇଁ ସମସ୍ତ ଦଳ କଠିନ ପ୍ରସ୍ତୁତି କରୁଛନ୍ତି। ସେହି ସମୟରେ ଗୋଟିଏ ଦଳ ମଧ୍ୟ ଏହାର ଖେଳାଳିଙ୍କ ଆଘାତ ସମସ୍ୟା ସହିତ ସଂଘର୍ଷ କରୁଛି। ଏହି ଦଳର ୩ ଷ୍ଟାର ଦ୍ରୁତ ବୋଲର ଏପର୍ଯ୍ୟନ୍ତ ଫିଟ ହୋଇନାହାଁନ୍ତି। ଏହି ସମୟରେ ଉକ୍ତ ଦଳର ପ୍ରଶିକ୍ଷଣ ଶିବିରରୁ ଏକ ଆଶ୍ଚର୍ଯ୍ୟଜନକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଜଣେ ଖେଳାଳିଙ୍କୁ ଦେଖାଯାଉଛି ଯିଏ ମେଗା ନିଲାମରେ ବିକ୍ରି ହୋଇନଥିଲେ। ଏହି ଖେଳାଳିଙ୍କୁ ବଦଳ ଖେଳାଳି ଭାବରେ ଦଳରେ ସାମିଲ କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି।
IPL ୨୦୨୫ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଚର୍ଚ୍ଚାକୁ ଆସିଛନ୍ତି। ଶାର୍ଦ୍ଦୁଳ ଲକ୍ଷ୍ନୌ ସୁପରଜ୍ୟାଣ୍ଟସର ଟ୍ରେନିଂ କ୍ୟାମ୍ପ ସହିତ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ସେ ଲକ୍ଷ୍ନୌରେ LSG ଖେଳାଳି ଏବଂ ସେମାନଙ୍କ ଅଧିନାୟକ ରିଷଭ ପନ୍ତଙ୍କ ସହ ହୋଲି ମଧ୍ୟ ପାଳନ କରିଥିଲେ। ଏହା ବ୍ୟତୀତ LSG ତାଲିମ କିଟ୍‌ରେ ଶାର୍ଦ୍ଦୁଳଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି। ଏଣୁ ସେ  ବିକ୍ରି ନ ହୋଇ ବି ଆଇପିଏଲ୍‌ ସହ ଯୋଡ଼ି ହୋଇପାରନ୍ତି ବୋଲି କୁହାଯାଉଛି।

କହିରଖୁଛୁ, ଲକ୍ଷ୍ନୌ ସୁପରଜାଏଣ୍ଟସ ଖେଳାଳି ମୋହସିନ ଖାନ, ଆଭେଶ ଖାନ ଏବଂ ମୟଙ୍କ ଯାଦବ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି। ଏହି ତିନି ଖେଳାଳିଙ୍କୁ IPL ଖେଳିବା ପାଇଁ NCA ଠାରୁ ଅନୁମତି ମିଳିନାହିଁ। ଏପରି ପରିସ୍ଥିତିରେ ଏହା ବିଶ୍ୱାସ କରାଯାଉଛି ଯେ ଶାର୍ଦ୍ଦୁଳ ଲକ୍ଷ୍ନୌ ସୁପରଜ୍ୟାଣ୍ଟସରେ ସାମିଲ ହୋଇପାରିବେ। ଆଇପିଏଲ ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି ଆହତ ହୁଅନ୍ତି, ତେବେ ଫ୍ରାଞ୍ଚାଇଜ ସେହି ଖେଳାଳିଙ୍କ ସ୍ଥାନରେ ବିକ୍ରୟ ହୋଇ ନ ଥିବା ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ କରିପାରିବ।
ଶାର୍ଦ୍ଦୁଳଙ୍କ ଆଇପିଏଲ୍‌ କ୍ୟାରିୟର ଦେଖିଲେ ଏପର୍ଯ୍ୟନ୍ତ IPLରେ ୫ଟି ଦଳର ଅଂଶ ହୋଇସାରିଛନ୍ତି। ଏହି ସମୟ ମଧ୍ୟରେ ସେ ୯୫ଟି ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ଗୁଡ଼ିକରେ ସେ ୯.୨୨ ଇକୋନୋମି ହାରରେ ୯୪ ଉଇକେଟ ନେଇଛନ୍ତି। ଏହା ସହିତ ସେ ୩୦୭ ରନ୍‌ କରିଛନ୍ତି। ଆଇପିଏଲ୍‌ର ଗତ ସିଜିନରେ ଶାର୍ଦ୍ଦୁଳ ସିଏସ୍‌କେର ଅଂଶ ଥିଲେ। ତାଙ୍କୁ ମୋଟ ୯ଟି ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା। ଯେଉଁଥିରେ ସେ କେବଳ ୫ ଉଇକେଟ ନେଇଥିଲେ ଏବଂ ସେ ବହୁତ ମହଙ୍ଗା ମଧ୍ୟ ପ୍ରମାଣିତ ହୋଇଥିଲେ। ଏହି କାରଣରୁ ତାଙ୍କୁ ଏଥର କୌଣସି କ୍ରେତା ମିଳି ନଥିଲେ।