Categories: ବାଣିଜ୍ୟ

ନୂଆ ସରକାର ପ୍ରଭାବ, ସମସ୍ତ ରେକର୍ଡ ଭାଙ୍ଗିଲା ସେୟାର ବଜାର

ମୁମ଼୍ବାଇ, ୧୦।୦୬: ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ରବିବାର ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଛନ୍ତି । ଏହାର ପ୍ରଭାବ ସେୟାର ମାର୍କେଟ୍‌ ଉପରେ ପଡ଼ିଛି । ସୋମବାର ମାର୍କେଟ୍‌ ଜୋଦରଦାର୍‌ ବୃଦ୍ଧି ସହିତ ଖୋଲି ଥିଲା । ଏଥିସହିତ ସମସ୍ତ ରେକର୍ଡ ଭାଙ୍ଗି ୭୭,୦୦୦ ପଏଣ୍ଟରେ ପହଞ୍ଚିଯାଇଥିଲା ।

ଦେଶରେ ଏନ୍‌ଡିଏ ସରକାର ଗଠନ ହୋଇସାରିଛି । ନରେନ୍ଦ୍ର ମୋଦି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାର ପ୍ରଭାବରୁ ସେୟାର ବଜାର ଇତିହାସ ରଚିଛି । ସପ୍ତାହର ଆରମ୍ଭ ଦିନରୁ ବିଏସ୍‌ଇର ସେନ୍‌ସେକ୍ସ ୩୨୩.୬୪ ଅଙ୍କ ବୃଦ୍ଧି ପାଇ ପ୍ରଥମଥର ପାଇଁ ୭୭,୦୦୦ ଅଙ୍କ ପାର କରିଛି। ଆଜି ୭୭,୦୧୭ ପଏଣ୍ଟରେ ମାର୍କେଟ୍‌ ଖୋଲିଛି। ଅନ୍ୟପଟେ ନିଫ୍ଟିରେ ମଧ୍ୟ ବୃଦ୍ଧି ପରିଲିକ୍ଷିତ ହୋଇଛି । ୧୦୫ ଅଙ୍କ ବୃଦ୍ଧି ପାଇ ୨୩,୪୦୦ରେ ଖୋଲିଛି।

ତେବେ ସୂଚନା ଥାଉକି, ଶୁକ୍ରବାର ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସର ସୂଚକାଙ୍କ ୧୭୦୦ ଅଙ୍କ ବୃଦ୍ଧି ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଥିଲା। ସେନ୍‌ସେକ୍ସ ୭୬,୭୯୫.୩୧ ପଏଣ୍ଟରେ ପହଞ୍ଚିଯାଇଥିଲା। ପୂର୍ବରୁ ଏହି ରେକର୍ଡ ୭୬,୫୩୬.୨୯ ପଏଣ୍ଟ ରହିଥିଲା । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୨.୦୫ ପ୍ରିତିଶତରୁ ଅଧିକ ବୃଦ୍ଧି ପାଇ ୨୩,୨୯୦.୧୫ ପଏଣ୍ଟରେ ବନ୍ଦ ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କମିଟିର ନିଷ୍ପତ୍ତି ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା। କାରବାରର ମଝିରେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ନୂଆ ରେକର୍ଡ କରିବା ସ୍ତରରେ କାରବାର କରୁଥିଲା। ସେନ୍‌ସେକ୍ସରେ ପାଖାପାଖି ୧୩ ଶହ ଅଙ୍କରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ଅନ୍ୟପଟେ ନିଫ୍ଟିରେ ୧୮୦ ଅଙ୍କରୁ ଅଧିକ ବଢ଼ିଥିଲା। ଯେଉଁ କାରଣରୁ ନିଫ୍ଟି ୨୩ ହଜାର ଅଙ୍କ ପାର କରିଥିଲା। ସେନ୍‌ସେକ୍ସରେ ଅଲ୍‌ ଟାଇମ୍‌ ରେକର୍ଡ ୭୬,୫୩୬.୨୯ ରହିଥିଲା। କାରବାର ମଝିରେ ଏହା ୭୬,୩୯୨ ଅଙ୍କ ଉପରେ କାରବାର କରୁଥିଲା।

Share