Categories: ବାଣିଜ୍ୟ

କାରବାର ଆରମ୍ଭରୁ ଲାଲ୍‌ ହୋଇଗଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୧।୬: ଭାରତୀୟ ଶେୟାର ବଜାର ମଙ୍ଗଳବାର କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟି ଏହା ୪୯,୫୩୯ ପଏଣ୍ଟ ତଳକୁ ଖସି ଆସିଛି । ବିଏସ୍‌ଇର ସେନ୍‌ସେକ୍ସରେ ୧୯୦.୮୨ ଅଙ୍କ ଅର୍ଥାତ ୦.୨୫ ପ୍ରତିଶତ ବୃଦ୍ଧି ହୋଇ ୭୬,୬୮୦ରେ ଖୋଲିଥିଲା । ସେହିପରି ଏନ୍‌ଏସ୍‌ଇର ନିଫ୍ଟିରେ ୨୪.୫୫ ଅଙ୍କ ବୃଦ୍ଧି ହୋଇ ୨୩,୨୮୩ ପଏଣ୍ଟରେ ଖୋଲିଥିଲା । ନିଫ୍ଟିର ୫୦ କମ୍ପାନୀର ଶେୟାର ମଧ୍ୟରୁ ୨୯ଟି କମ୍ପାନୀର ଶେୟାରରେ ବୃଦ୍ଧି ପରିଲିକ୍ଷିତ ହୋଇଛି । ସେନସେକ୍ସର ୩୦ କମ୍ପାନୀ ମଧ୍ୟରୁ ୧୫ଟି କମ୍ପାନୀର ଶେୟାର ଦାମ୍‌ରେ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ୧୫ଟିରେ ହ୍ରାସ ଘଟିଛି ।

ସୂଚନା ଥାଉକି, ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଶେୟାର ମାର୍କେଟ ଏହାର ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଥିଲା। ହେଲେ କାରବାର ଶେଷ ବେଳକୁ ବଜାରରେ ହ୍ରାସ ହୋଇଥିଲା । ଆଇଟି ଏବଂ ବ୍ୟାଙ୍କିଙ୍ଗ୍‌ ସେକ୍ଟର ଭଲ କାରବାର ହୋଇଥିଲା । ଏହି ଷ୍ଟକ୍ସରୁ ନିବେଶକ ଭଲ ଲାଭ କରିଥିଲେ । ସେନ୍‌ସେକ୍ସ ୫୯୦ ପଏଣ୍ଟ ଖସି ଯାଇଥିବା ବେଳେ ନିଫ୍ଟି ୧୫୦ ପଏଣ୍ଟ ଖସିଯାଇଥିଲା । କାରବାର ଶେଷ ବେଳକୁ ସେନ୍‌ସେକ୍ସ ୨୦୩ ପଏଣ୍ଟ ହ୍ରାସ ପାଇ ୭୬,୪୯୦ ଅଙ୍କରେ ଏବଂ ନିଫ୍ଟିରେ ୩୧ ପଏଣ୍ଟ ହ୍ରାସ ପାଇ ୨୩,୨୫୯ ଅଙ୍କରେ ବନ୍ଦ ହୋଇଥିଲା ।

ରବିବାର ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଥିବା ବେଳେ ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଥିଲା । ସୋମବାର ମାର୍କେଟ ଜୋରଦାର୍‌ ବୃଦ୍ଧି ସହିତ ଖୋଲିଥିଲା । ଏଥିସହିତ ସମସ୍ତ ରେକର୍ଡ ଭାଙ୍ଗି ୭୭,୦୦୦ ପଏଣ୍ଟରେ ପହଞ୍ଚିଯାଇଥିଲା ।

Share