ନିଜ ଦଳକୁ ବିଜୟୀ ଦାବିକଲେ ଶରିଫ

ଇସ୍‌ଲାମାବାଦ,୧୦।୨: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଫଳାଫଳ ଅସ୍ପଷ୍ଟ ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ନିଜ ଦଳ ପିଏମ୍‌ଏଲ-ଏନ୍‌କୁ ବିଜୟୀ ବୋଲି ଦାବି କରିଛନ୍ତି। ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ଏବଂ ମେଣ୍ଟ ସରକାର ଗଢ଼ିବା ନେଇ ଆଲୋଚନା ଚାଲିଛି ବୋଲି ଶରିଫ କହିଛନ୍ତି। ତେବେ ପିଏମ୍‌ଏଲ୍‌-ଏନ୍‌କୁ କେତେ ଆସନ ମିଳିଛି, ସେ ତାହା ସ୍ପଷ୍ଟ କରିନାହାନ୍ତି। ସରକାର ଗଢ଼ିବା ପାଇଁ ୧୩୩ ସଦସ୍ୟଙ୍କ ଆବଶ୍ୟକତା ଥିବାବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ଫଳାଫଳ ଅନୁଯାୟୀ ଶରିଫ୍‌ଙ୍କ ଦଳ ୪୨ ଆସନ ଜିତିଛି। ଅନ୍ୟପକ୍ଷରେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀମାନେ ଆଗରେ ଅଛନ୍ତି। ଘୋଷିତ ୧୩୯ ଆସନ ମଧ୍ୟରୁ ଇମ୍ରାନଙ୍କ ଦଳ ପିଟିଆଇ ସମର୍ଥତ୍ତ ପ୍ରାର୍ଥୀମାନେ ୫୫ଟିରେ ବିଜୟ ହୋଇଛନ୍ତି। ପିପିପିକୁ ୩୫ ଆସନ ମିଳିଛି। ଅନ୍ୟ ଆସନଗୁଡ଼ିକ ଛୋଟ ଦଳକୁ ଯାଇଛି। ସମ୍ପୂର୍ଣ୍ଣ ଫଳାଫଳ ଘୋଷଣାରେ ବିଳମ୍ବ ହେଉଥିବାରୁ ଭୋଟ ରିଗିଂ ହେବା ନେଇ ଅଭିଯୋଗ ହୋଇଛି।
ଗୁରୁବାର ବୁଥ୍‌ ରିଗିଂ ଓ ହିଂସାକାଣ୍ଡ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଇମ୍ରାନ୍‌ଙ୍କ ତେହରିକ୍‌-ଇ-ଇନ୍‌ସାଫ(ପିଟିଆଇ) ପ୍ରାର୍ଥୀମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ଏବଂ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସହ ସେମାନଙ୍କର ଜୋର୍‌ଦାର ଲଢ଼େଇ ହୋଇଥିଲା। ସରକାର ଗଢ଼ିବାକୁ ହେଲେ ୨୬୫ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ୧୩୩ ଆସନରେ ବିଜୟୀ ହେବା ଆବଶ୍ୟକ। ଗୋଟିଏ ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି।

Share