ଆମେରିକା ସହ ବନ୍ଧୁତା ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ହାତରୁ କ୍ଷମତା ହରାଇବା ପଛରେ ବୈଦେଶିକ ହସ୍ତକ୍ଷେପ ବିଷୟରେ କହୁଥିବାବେଳେ ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ୍‌ କହିଛନ୍ତି, ତାଙ୍କ ସହ ଆମେରିକାର ଶତ୍ରୁତା ରହିବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ଆମେରିକା ସହିତ ଶତ୍ରୁତା ହୋଇପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ନୂତନ ସମ୍ପର୍କ ଗଢ଼ିବାର ଆବଶ୍ୟକତା ରହିଛି।

 

ରାଷ୍ଟ୍ରୀୟ ସୁରକ୍ଷା ଆୟୋଗର ବିବୃତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିବାଦର ଯାଞ୍ଚ ପାଇଁ ସେ ଏକ ନ୍ୟାୟିକ ଆୟୋଗ ଗଠନ କରିବେ। ଇମ୍ରାନଙ୍କୁ କ୍ଷମତାରୁ ହଟାଇବା ପଛରେ ସୁରକ୍ଷା ଷଡ଼ଯନ୍ତ୍ରକୁ ସୁରକ୍ଷା ଆୟୋଗ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ କ୍ଷମତାରୁ ହଟାଇବା ପଛରେ ବିଦେଶୀ ଷଡ଼ଯନ୍ତ୍ରକୁ ନେଇ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲା।

ଅନ୍ୟପକ୍ଷରେ ଏହି ଷଡ଼ଯନ୍ତ୍ର ବିଷୟରେ ଇମ୍ରାନ କହିଛନ୍ତି, ୩/୪ ମାସ ପୂର୍ବେ ଆମେରିକାର ଅଧିକାରୀମାନେ ବିରୋଧୀ ଦଳର ନେତାମାନଙ୍କୁ ଭେଟିବା ଆରମ୍ଭ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ବୈଠକ ପରେ ଯେତେବେଳେ ଆମେରିକାର ଅଧିକାରୀ ଡୋନାଲ୍ଡ ଲୁ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ ସେତେବେଳେ ସେ ଜାଣିଥିଲେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ପଦକ୍ଷେପ ନିଆଯିବ। ଯାହା ଶେଷରେ ସତ ହୋଇଥିଲା।

Share