ତିର୍ତ୍ତୋଲ,୪।୧(ଡି.ଏନ.ଏ.): କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ଜଗତସିଂହପୁର ଜିଲା ତିର୍ତ୍ତୋଲସ୍ଥିତ ପ୍ରସିଦ୍ଧ ଝଙ୍କଡ ଶାରଳା ମନ୍ଦିର ଦୀର୍ଘ ମାସ ପରେ ରବିବାର ଖୋଲିଛି। ସରକାରୀ ନିର୍ଦ୍ଦେଶ ପରେ, ସକାଳ ୮ରୁ ମନ୍ଦିର ପରିସରକୁ ଭକ୍ତମାନେ ପ୍ରବେଶ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ମା’ଙ୍କ ଦର୍ଶନ ନିମନ୍ତେ ଟୋକନ ବ୍ୟବସ୍ଥା ହୋଇଥିଲା। ଭକ୍ତମାନେ ଟୋକନ ସଂଗ୍ରହ କରି ଧାଡିରେ ଆସି ମା’ଙ୍କ ଦର୍ଶନ କରିଥିଲେ। ଏକାଥରରେ ସର୍ବାଧିକ ୧୦ ଜଣଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ତିର୍ତ୍ତୋଲ ଥାନା ପକ୍ଷରୁ ବ୍ୟବସ୍ଥା ହୋଇଥିଲା। ଭକ୍ତମାନଙ୍କୁ ସାଙ୍ଗରେ ପରିଚୟପତ୍ର ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।