୩ରୁ ଖୋଲିବ ଶାରଳା ମନ୍ଦିର, ଗୋରଖନାଥ ପୀଠ

ଜଗତ୍‌ସିଂହପୁର ଅଫିସ୍‌, ୨୨।୧୨: ଜାନୁୟାରୀ ୩ରୁ ଜଗତ୍‌ସିଂହପୁର ଜିଲାର ପ୍ରସିଦ୍ଧ ଶାରଳା ମନ୍ଦିର ଓ ଗୋରଖନାଥ ପୀଠ ଖୋଲିବ ବୋଲି ସୋମବାର ଜିଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ୨ ପୀଠରେ କୋଭିଡ୍‌ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରାଯିବ। ପ୍ରତ୍ୟେକଙ୍କ ଥର୍ମାଲ ସ୍କାନିଂ, ସାନିଟାଇଜର ବ୍ୟବହାର ଓ ମାସ୍କ ପିନ୍ଧିବା ଆଦି ଉପରେ ଗୁରୁତ୍ୱ ଦିଆଯିବ। ପ୍ରତ୍ୟେହ ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୫୦୦ ଲୋକଙ୍କ ଦର୍ଶନ ସୁବିଧା ଦିଆଯିବ। ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ବ୍ୟାରିକେଟ୍‌ କରାଯିବ। ଭକ୍ତମାନେ ଧାଡିରେ ସିଂହଦ୍ୱାର ପଟେ ପ୍ରବେଶ କରି ମା’ ଶାରଳାଙ୍କ ଦର୍ଶନ ସାରି ପଶ୍ଚିମ ଦ୍ୱାର ପଟେ ବାହାରିଯିବେ। ଏଥିସହ ଧଣ୍ଡା, ପାଦୁକ, ପ୍ରସାଦ ଓ ଭୋଗ ଆଦି ଉପରେ ଅଙ୍କୁଶ ଲଗାଯାଇଛି। ଏହି ସମୟରେ ପାଳିଥିବା ୫ ଜଣ ପଣ୍ଡା ଓ ସେବାୟତଙ୍କ ବ୍ୟତୀତ ଅନ୍ୟ କାହାକୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବନାହିଁ। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯିବ। ବାହାର ଜିଲାରୁ ଆସିବାକୁ ଥିବା ଭକ୍ତମାନଙ୍କୁ ଏହି ୨ ପୀଠରେ ପ୍ରବେଶ କରିବାକୁ ହେଲେ କୋଭିଡ୍‌ ନେଗେଟିଭ୍‌ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ।

Share