Categories: ଜାତୀୟ

ପୂର୍ବତନ ମନ୍ତ୍ରୀ ହତ୍ୟା ମାମଲାରେ ଶର୍ମିଲା ସାକ୍ଷୀ

ହାଇଦ୍ରାବାଦ,୨୩।୭: ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ଓ୍ବାଇ.ଏସ୍‌. ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ଭଉଣୀ ତଥା ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟିର ପ୍ରତିଷ୍ଠାତା ଶର୍ମିଲା ସିବିଆଇର ଗୁପ୍ତ ସାକ୍ଷୀ ରହିଥିବା ଜଣାପଡ଼ିଛି। ଶର୍ମିଲାଙ୍କ ବୟାନ ସହ ସିବିଆଇର ଚୂଡ଼ାନ୍ତ ଚାର୍ଜଶିଟ୍‌ ଶୁକ୍ରବାର ସାମ୍‌ନାକୁ ଆସିଛି। ଦାଦା ବିବେକାନନ୍ଦଙ୍କ ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଶର୍ମିଲା ସିବିଆଇ ଅଧିକାରୀଙ୍କ ନିକଟରେ ହାଜର ହୋଇ କହିଥିଲେ। ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ଓ୍ବାଇଏସ୍‌ଆର୍‌ସିପିର କଡ଼ପା ଏମ୍‌ପି ଓ୍ବାଇଏସ୍‌ ଅବିନାଶ ରେଡ୍ଡୀ ଯେପରି ଟିକେଟ ନ ପାଇବେ ତାହା ସୁନିଶ୍ଚିତ କରିବା ଲାଗି ବିବେକାନନ୍ଦଙ୍କୁ ହତ୍ୟା କରାଯାଇଥିବା ସେ ସିବିଆଇ ଅଧିକାରୀମାନଙ୍କ ଆଗରେ ବୟାନ ଦେଇଥିଲେ।
ପ୍ରକାଶ ଯେ, ନିର୍ବାଚନ ପ୍ରଚାର ବେଳେ ୨୦୧୯ ମାର୍ଚ୍ଚ ୧୫ରେ ବିବେକାନନ୍ଦଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ସିବିଆଇ ଚୂଡ଼ାନ୍ତ ଚାର୍ଜଶିଟ୍‌ ଦାଖଲ କରିଛି, ଯେଉଁଥିରେ ଅବିନାଶ ଓ ତାଙ୍କ ବାପା ଭାସ୍କର ରେଡ୍ଡୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଏବଂ ଅପରାଧ ଭିଆଇବା ପାଇଁ ୪ ସୁପାରି କିଲରଙ୍କୁ ଟଙ୍କା ଦେବା ନେଇ ଅଭିଯୁକ୍ତ ଦର୍ଶାଯାଇଛି।

Share