ହାଇଦ୍ରାବାଦ,୪ା୧୧ : ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ଝିଅ ତଥା ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟିର ଅଧ୍ୟକ୍ଷା ଓ୍ବାଇ.ଏସ୍. ଶର୍ମିଲା ନଭେମ୍ବର ୩୦ରେ ହେବାକୁ ଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ଓ ଜନବିରୋଧୀ ଶାସନ ବିରୋଧରେ ଲଢ଼େଇରେ ଶର୍ମିଲାଙ୍କ ଦଳ କଂଗ୍ରେସକୁ ସମର୍ଥନ ଦେବ ବୋଲି ସେ ଘୋଷଣା କରିଛନ୍ତି। ସରକାର ବିରୋଧୀ ଭୋଟ ନ ଭାଙ୍ଗିବା ପାଇଁ ଶର୍ମିଲା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ହେଲେ ସରକାର ବିରୋଧୀ ଭୋଟକୁ ଏକାଠି କରିବାକୁ ହେବ। ତାଙ୍କର କଂଗ୍ରେସ ନେତା ଓ କର୍ମୀମାନଙ୍କ ପ୍ରତି ସମ୍ମାନ ରହିଛି ଓ ସେ କଂଗ୍ରେସ ଭୋଟ ବିଭାଜନ କରିବାକୁ ଚାହନ୍ତି ନାହିଁ ବୋଲି ଶର୍ମିଲା କହିଛନ୍ତି। ଓ୍ବାଇଆର୍ଏସ୍ ତେଲଙ୍ଗାନା ପାର୍ଟି କଂଗ୍ରେସ ଦଳରେ ମିଶ୍ରଣ ହେବ କିମ୍ବା ସେମାନଙ୍କ ମଧ୍ୟରେ ପ୍ରାକ୍ ନିର୍ବାଚନ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା। ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କ ସହ ବୈଠକରେ ତାହା ଫଳପ୍ରଦ ହୋଇ ନ ଥିଲା।