ପାଟଣା, ୨୩।୫(ସ୍ବ. ପ୍ର.): ଯେଉଁ ବୟସ ବୟସରେ ସାଙ୍ଗ ସାଥୀଙ୍କ ମେଳରେ ଖେଳକୁଦ କରି ସମୟ ଅତିବାହିତ କରିବା କଥା। ସେହି ବୟସରେ ଜଣେ ୭ବର୍ଷର ନାବାଳିକା ଲିଭର ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସେ ହେଲେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ତେଣ୍ଡରା ଗ୍ରାମର ଶର୍ମିଷ୍ଠା ପ୍ରିୟଦର୍ଶିନୀ ମହାନ୍ତ। ତେଣ୍ଡେରା ଗ୍ରାମର ମୋତିଲାଲ ମହାନ୍ତ ଓ ସଞ୍ଜୁଲତାଙ୍କ ଏକମାତ୍ର ଝିଅ ଶର୍ମିଷ୍ଠା।
ସେ ଜନ୍ମରୁ ସୁସ୍ଥ ଥିଲେ। ମାତ୍ର ୩ ବର୍ଷ ବୟସରେ ତାଙ୍କୁ ଜ୍ୱର ହେବାରୁ ପରିବାର ଲୋକେ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ସେତେବେଳ ଡାକ୍ତର କହିଲେ ଝିଅର ହାର୍ଟରେ ଏକ ହୋଲ ଅଛି। ଏହାପରେ ମା’ ବାପା ତାଙ୍କୁ ନେଇ ଛତିଶଗଡ଼ରେ ଓପନ ହାର୍ଟ ସର୍ଜରୀ କରିଥିଲେ। କିଛି ମାସ ଭଲ ହୋଇଯାଇଥିଲେ। ପୁଣି ବର୍ଷେ ପରେ ତାଙ୍କ ଦେହ ସାରା କୁଣ୍ଡାଇ ହେବାରୁ ପୁଣି ଡାକ୍ତରଙ୍କୁ ଦେଖାଇବାରୁ ଝିଅ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଝିଅ ଭଲ ହେବା ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟ ଦରକାର ବୋଲି ଜାଣିବାପରେ ଅଭାବି ମା’ବାପାଙ୍କ ମୁଣ୍ଡ ଉପରେ ବୋଝ ପଡିଥିଲା।ଏଭଳି ବ୍ୟୟ ବହୁଳ ଅପରେସନ ଦିଲ୍ଲୀର ଏମ୍ସ ହସ୍ପିଟାଲରେ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏହାପୂର୍ବରୁ ଝିଅର ଚିକିତ୍ସା ପାଇଁ ମୋତିଲାଲ ଗୋରୁଗାଈ ସବୁ ବିକ୍ରି କରିସାରି ସର୍ବଶାନ୍ତ ହୋଇଥିବାରୁ ତାଙ୍କ ପାଖରେ ଆଉ ଅର୍ଥ ନାହିଁ। ଝିଅର ଚିକିତ୍ସା ପାଇଁ ସରକାର ସହାୟତା କରିବାକୁ ମୋତିଲାଲ ଆକୁଳ ନିବେଦନ କରିଛନ୍ତି।