Categories: ଜାତୀୟ

ଇସ୍ତାହାରରେ ଭାରତର ଭୁଲ ମାନଚିତ୍ର ପାଇଁ କ୍ଷମା ମାଗିଲେ ଥରୁର

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ବରିଷ୍ଠ ନେତା ଶଶୀ ଥରୁର ଆଣିଥିବା ଇସ୍ତାହାରରେ ଭାରତର ଭୁଲ୍‌ ମାନଚିତ୍ର ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଦେଖାଇଥିବା ଇସ୍ତାହାର ପୁସ୍ତିକାର ଭାରତ ମାନଚିତ୍ରରେ ଜମ୍ମୁ-କଶ୍ମୀର ଓ ଲଦାଖ ନ ଥିଲା। ଏହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବିଶେଷ କରି ଭାଜପା ସମର୍ଥକମାନେ କଡ଼ା ସମାଲୋଚନା କରିଥିଲେ। ଜାଣିଶୁଣି ଥରୁର ଏଭଳି ଭୁଲ୍‌ କରିଥିବା ଅଭିଯୋଗ ହୋଇଥିଲା। ପରେ କଂଗ୍ରେସ ନେତା ଉକ୍ତ ମାନଚିତ୍ରରେ ସଂଶୋଧନ କରିଛନ୍ତି। କଂଗ୍ରେସ ଏହି ତ୍ରୁଟିଠାରୁ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ କରିଛି। କେହି ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିବ ନାହିଁ। ତାଙ୍କ ଟିମ୍‌ ଭୁଲ୍‌ କରିଦେଇଥିବା ଥରୁର ଟୁଇଟ୍‌ କରିବା ସହ ତୁରନ୍ତ ଏହାକୁ ସୁଧାରିଛନ୍ତି। ଏହି ଭୁଲ୍‌ ପାଇଁ ସେ ନିଃସର୍ତ୍ତ କ୍ଷମା ମାଗୁଛନ୍ତି ବୋଲି ଟୁଇଟ୍‌ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ନାମାଙ୍କନପତ୍ର ଦାଖଲ କରିବା ପରେ ଗଣମାଧ୍ୟମକୁ ଥରୁର କହିଥିଲେ, ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେଲେ ଦଳରେ ହାଇକମାଣ୍ଡ ସଂସ୍କୃତିର ପରିବର୍ତ୍ତନ କରିବେ। କଂଗ୍ରେସ ଅଧ୍ୟକ୍ଷ ନିଷ୍ପତ୍ତି ନେବେ, ଏଭଳି ଧାଡ଼ିକିଆ ପ୍ରସ୍ତାବ ଦଳରେ ଗୃହୀତ କରାଯାଇପାରିବ ନାହିଁ ବୋଲି ଥରୁର କହିଥିଲେ।

Share