ନୂଆଦିଲ୍ଲୀ,୭।୧୦: ଆସନ୍ତା ଟି୨୦ ବିଶ୍ୱକପ୍ରେ ଭାରତୀୟ ଟିମ୍ରେ ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ବାରି ହୋଇ ପଡ଼ିବ। ହେଲେ ଏହାଦ୍ୱାରା ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଭାରତର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ।
ଆହତ ସମସ୍ୟାକୁ ନେଇ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ରେ ବୁମ୍ରା ଏବଂ ଜାଡେଜା ଖେଳିପାରିବେ ନାହିଁ। ଏହାକୁ ନେଇ ଭାରତ ଅସୁବିଧାରେ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶାସ୍ତ୍ରୀ କହିଛନ୍ତି, ବୁମ୍ରା ସେଠାରେ ନ ଥିବେ, ଜାଡେଜା ନ ଥିବେ। ଏହାଦ୍ୱାରା ଟିମ୍ ପ୍ରଭାବିତ ହେବ। ହେଲେ ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ। ବୁମ୍ରାଙ୍କ ଆଘାତ ଦୁର୍ଭାଗ୍ୟଜନକ। ଅତ୍ୟଧିକ କ୍ରିକେଟ ଖେଳାଯାଉଛି। ଏଥିଯୋଗୁ ଖେଳାଳିମାନେ ଆହତ ହେଉଛନ୍ତି। ସେ ଆହତ ହୋଇଥିଲେ ବି ଆଉ କାହା ପାଇଁ ଏହା ସୁଯୋଗ ହୋଇପାରେ। ଆହତ ମାମଲାରେ ଆପଣ କିଛି ବି କରିପାରିବେ ନାହିଁ ।
ତେବେ ବୁମ୍ରାଙ୍କ ସ୍ଥାନରେ ଏଯାବତ କୌଣସି ନୂତନ ଖେଳାଳିଙ୍କୁ ଚୟନ କରାଯାଇନାହିଁ। ହେଲେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ସଙ୍କେତ ଅନୁଯାୟୀ ମହମ୍ମଦ ଶାମି ଯଦି କୋଭିଡ-୧୯ରୁ ସୁସ୍ଥ ହୋଇ ପୂର୍ଣ୍ଣ ଫିଟ୍ନେସ୍ ହାସଲ କରନ୍ତି ତେବେ ତାଙ୍କୁ ଦଳରେ ଖେଳାଯାଇପାରିବ। ସେ ଜୁଲାଇରୁ ପ୍ରତିଯୋଗିତାମୂଳକ କ୍ରିକେଟ ଖେଳିନାହାନ୍ତି। ହେଲେ ଅଷ୍ଟ୍ରେଲିଆରେ ଖେଳିବାର ଅଭିଜ୍ଞତା କାମରେ ଆସିପାରେ ବୋଲି ଶାସ୍ତ୍ରୀ ବିଶ୍ୱାସ କରୁଥିବା କହିଛନ୍ତି।