କୋରୁକୋଣ୍ଡା ୧୪ା୧୧ (ଡି.ଏନ.ଏ): ଗରିବ ଶ୍ରେଣୀର ହିତାଧିକାରଙ୍କ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେମାନେ କିପରି ସବୁ ସରକାରୀ ସୁବିଧା ପାଇବେ ବ୍ୟବସ୍ଥା କରୁଛନ୍ତି। ଏହା ସତ୍ୱେ କେତେକ ସରକାରୀ ନିୟମ ହିତାଧିକାରୀଙ୍କ ପାଇଁ କଣ୍ଟା ହୋଇଛି। ହିତାଧିକାରୀଙ୍କ ସାମଗ୍ରୀ ବାଟମାରଣା ନ ହୋଇ ଯେପରି ସେମାନେ ଏଥିରୁ ଉପକୃତ ହେବେ ସେନେଇ ସେମାନଙ୍କ ରାସନ କାର୍ଡକୁ ଆଧାର ସଂଯୋଗୀକରଣ କରିଛନ୍ତି। ଏହାଦ୍ୱାରା ସେମାନେ ସବୁ ସୁବିଧା ସିଧାସଳଖ ପାଇବେ। ମାତ୍ର ସରକାରଙ୍କ କେତେକ ନିୟମ ଯୋଗୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କାମୱାଡା ପଞ୍ଚାୟତ ମର୍କେଲଗୁଡା ପିଡି କୋଲୋନୀର ଜଣେ ବୃଦ୍ଧା ବାରେ ମାଡକାମୀ ବୟସ(୮୦) ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି। କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ବାରେଙ୍କ ନିଜର ବୋଲି କେହି ନାହାନ୍ତି । ସେ ନିଜ ତାଙ୍କ ସାନ ଭଉଣୀଙ୍କ ପୁଅ ସୁନାଙ୍କୁ ଆଣି ନିଜ ଦେଖାରଖା ଲାଗି ପାଖରେ ରଖିଛନ୍ତି। ପୂର୍ବରୁ ବାରେଙ୍କୁ ମାସିକ ୩୫ କେଜି ଚାଉଳ ଓ ବାର୍ଦ୍ଧକ ଭତା ବାବଦକୁ ମାସିକ ୫୦୦ ଟଙ୍କା ମିଳୁଥିଲା । ହେଲେ ବର୍ତ୍ତମାନ ସରକାରଙ୍କ ନିୟମ ଅନୁଯାୟୀ ଭତା ବାବଦକୁ ଆସୁଥିବା ୫ଶହ ଟଙ୍କା ବ୍ୟାଙ୍କ ଖାତାରେ ଜମା ହେଉଛି। ତାଙ୍କୁ ମିଳୁଥିବା ଚାଉଳ କାର୍ଡର ଆଧାର ସହ ସଂଯୋଗୀକରଣ ହୋଇପାରୁ ନ ଥିବାରୁ ସେ ତାହା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିଛନ୍ତି। ଏନେଇ ଆମେ କୋରୁକୋଣ୍ଡା ବ୍ଲକ ଯୋଗାଣ ନିରୀକ୍ଷକ ସଂଜୀବ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ପାଖକୁ ଏଯାଏ କୌଣସି ଲିଖିତ ଅଭିଯୋଗ ଆସିନାହିଁ। ଯଦି ଏମିତି କିଛି ହୋଥିବ ହିତାଧିକାରୀ ଲିଖିତ ଭାବେ ଆବେଦନ କଲେ ଏ ଦିଗରେ ଆମେ ନଦକ୍ଷେପ ନେବୁ ବୋଲି କହିଛନ୍ତି।