ପ୍ରୟାଗରାଜ: ଚଳଚ୍ଚିତ୍ର ଏବଂ ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିବା ଅଭିନେତ୍ରୀ ଇଶିକା ତନେଜାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ସେ ମହାକୁମ୍ଭରେ ସାଧ୍ୱୀ ରୂପେ ନଜରକୁ ଆସିଛନ୍ତି। ସେ ଗ୍ଲାମର ଜଗତକୁ ଛାଡ଼ି ଆଧ୍ୟାତ୍ମିକ କ୍ଷେତ୍ରକୁ ଆପଣାଇଛନ୍ତି ବୋଲି ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଇଶିକା କହିଛନ୍ତି।
୨୦୧୮ରେ ମିସ୍ ୱାଲର୍ଡ ଟୁରିଜମ୍ ଟାଇଟଲ୍ ଜିତିଥିଲେ। ୨୦୧୬ରେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଭାରତର ୧୦୦ ମହିଳା ଆଚିଭର୍ସ ବର୍ଗରେ ସମ୍ମାନିତ ହୋଇଥିଲେ। ୨୦୧୭ରେ ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ‘ଇନ୍ଦୁ ସରକାର’ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପରେ ସେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ସିରିଜ୍ ‘ହଦ୍’ରେ ମଧ୍ୟ କାମ କରିଥିଲେ।
ଜଣେ ସାଧ୍ୱୀ ଭାବେ ଯୋଗଦେଇ ଇଶିକା କହିଛନ୍ତି, ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ସେ ସନାତନ ଧର୍ମର ପ୍ରଚାର ପ୍ରସାର କରିବାକୁ ଶପଥ ନେଇଥିଲେ। ଯୁବପିଢ଼ିଙ୍କୁ ଆଗେଇ ଆସି ସନାତନ ପଥ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଏବେ ସେ ‘ଶ୍ରୀ ଲକ୍ଷ୍ମୀ’ ନାମରେ ସନାତନ ଧର୍ମର ପ୍ରଚାର ପ୍ରସାରରେ ବ୍ୟସ୍ତ ରହିବେ ବୋଲି ଇଶିକା କହିଛନ୍ତି।
ଗତ ଜାନୁଆରୀର ଇଶିକା ମଧ୍ୟପ୍ରଦେଶର ଜବଲପୁରରେ ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ଜୀ ମହାରାଜଙ୍କ ମାର୍ଗ ଦର୍ଶନରେ ଗୁରୁ ଦୀକ୍ଷା ନେଇଥିଲେ।
ତେବେ ସାଧ୍ୱୀ ହୋଇ ସେ ପବ୍ଲିସିଟି ଷ୍ଟଣ୍ଟ୍ କରୁଛନ୍ତି ବୋଲି ହେଉଥିବା ଆଲୋଚନାକୁ ଇଶିକା ଖଣ୍ଡନ କରିଛନ୍ତି। ତେବେ ଯଦି ସୁଯୋଗ ମିଳେ, ସେ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।