ଗୋଲାମୁଣ୍ଡା,୧୪।୩: କଳାହାଣ୍ଡି ଜିଲା କେଗାଁ ଥାନା କନକପୁର ଗ୍ରାମ ନିକଟ ଜଙ୍ଗଲରୁ ପୋଲିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା। ପୋଲିସ ଘଟଣାର ତଦନ୍ତ ପରେ ରବିବାର ମହିଳାଙ୍କୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି। ଏନେଇ ମୃତ ମହିଳାଙ୍କ ସ୍ବାମୀ ଶ୍ୟାମସୁନ୍ଦର ନାଏକ, ଶ୍ୱଶୁର ବାସୁଦେବ ନାଏକ ଓ ବଡଶ୍ୱଶୁର ରାଜୀବ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଯୋଗ୍ୟ, ଗତ ୫ ତାରିଖରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଜବତ କରିଥିଲା। ମୃତ ମହିଳା ଜଣକ କନକପୁର ଗ୍ରାମର ଶ୍ୟାମସୁନ୍ଦର ନାଏକଙ୍କ ସ୍ତ୍ରୀ ପ୍ରିୟଙ୍କା ନାଏକ ବୋଲି ଜଣାପଡିଥିଲା। ଏ ନେଇ ବାପା ମଙ୍ଗନିଆ ରଣା ଝିଅ ପ୍ରିୟଙ୍କାଙ୍କୁ ଶ୍ୱଶୁର ଘର ଲୋକେ ପୋଡି ମାରି ଦେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିକ୍ତି କରି ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଥିଲା। କେଗାଁ ପୋଲିସ ଦଫା ୪୯୮(ଏ)/୩୦୨/୩୦୪(ବି)/୨୦୧/୩୪ ଆଇପିସି ଆର୍ଡବ୍ଲ୍ୟୁ ସେକ୍ସନ ୪ ଡିପି ଆକ୍ଟରେ ମୃତ ମହିଳାଙ୍କ ସ୍ବାମୀ, ଶ୍ୱଶୁର ଓ ବଡଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।