୩୩ ବର୍ଷୀୟା ସ୍ବାତୀ ଗର୍ଗ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରେ ସ୍ବାମୀ, ଝିଅ ଓ ମା’ଙ୍କ ସହ ରହୁଥିଲେ। ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ବି କିଛିଦିନ ହେବ ରହୁଥିଲେ। ଥରେ ଶର୍ଟ ସର୍କିଟ୍ ଯୋଗୁ ରାତିରେ ତାଙ୍କ ଆପାର୍ଟମେଣ୍ଟର ଗ୍ରାଉଣ୍ଡଫ୍ଲୋର୍ରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ୨ଟା ବେଳକୁ ନିଆଁ ୯ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥାଏ। ଚାରିଆଡ଼େ ବହଳ ବହଳ ଧୂଆଁ। ସ୍ବାତୀ ନିଆଁ ଲାଗିଥିବା କଥା ଜାଣିପାରି ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଉଠାଇ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହିଥିଲେ। ସ୍ବାମୀ କୁନି ଝିଅକୁ ଧରି ଦୌଡ଼ିଲେ ଉପର ମହଲା ଆଡ଼କୁ। ପଛରେ ସ୍ବାତୀ ଓ ତାଙ୍କ ମା’ ଥାଆନ୍ତି। ତାଙ୍କ ସ୍ବାମୀ ଏକ ଖାଲି ଓ ଧୂଆଁ ନ ଥିବା କୋଠରି ଦେଖି ଆଶ୍ରୟ ନେଲେ। ଭାବିଲେ ପଛରେ ଆସୁଥିବା ସ୍ବାତୀ ଓ ତାଙ୍କ ମା’ ବି କେଉଁଠି ଆଶ୍ରୟ ନେଇଥିବେ। ହେଲେ ସ୍ବାତୀ ତାଙ୍କ ମା’ଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇ ସେଇ ବହଳ ଧୂଆଁରେ ଦୌଡ଼ି ଦୌଡ଼ି ଯାଇ ସମସ୍ତ ପଡ଼ୋଶୀଙ୍କ ଘରର କବାଟ ବାଡ଼େଇ ଉଠାଇବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଥିଲେ। ସମସ୍ତେ ଉପର ମହଲାକୁ ଦୌଡ଼ିଲେ ଆଶ୍ରୟ ପାଇଁ କାରଣ ତଳକୁ ଯିବା ଅସମ୍ଭବ ଥିଲା। ନିଆଁର ପ୍ରକୋପ ବଢି ବଢି ଚାଲିଥାଏ। ଧୁଆଁରେ କରିଡର ବି ଦେଖାଯାଉ ନ ଥାଏ। ଏମିତି ଡାକିବା ଭିତରେ ସ୍ବାତୀ ଧୂଆଁରେ ଅଣନିଃଶ୍ୱାସୀ ହୋଇଯାଇଥିଲେ। ଜୀବନ ବିକଳରେ ଦୌଡ଼ିଥିଲେ ଦଶ ମହଲାକୁ। ଆଉ ଟିକେ ତାଜା ପବନ ପାଇବା ପାଇଁ ଛାତର କବାଟ ଖୋଲିବାକୁ ଚେଷ୍ଟା କଲେ। ହେଲେ ତାହା ଖୋଲିଲା ନାହିଁ। ଶେଷରେ ସେ ସେଇ କବାଟ ପାଖରେ ଚେତାଶୂନ୍ୟ ହୋଇପଡ଼ିଗଲେ। ଦମକଳବାହିନୀ ଆସି ସମସ୍ତଙ୍କୁ ଉଦ୍ଧାର କରିବାବେଳେ ସ୍ବାତୀଙ୍କୁ ବି ଉଦ୍ଧାର କଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ପଠାଗଲା। ହେଲେ ଡାକ୍ତରଖାନା ପହଞ୍ଚତ୍ବା ପୂର୍ବରୁ ସେ ଆଖିବୁଜି ଦେଇଥିଲେ। ଆପାର୍ଟମେଣ୍ଟର ସବୁ ପଡ଼ୋଶୀ ତାଙ୍କ ସାହସିକତା, ପରୋପକାରକୁ ମନେପକାଇ ବହୁତ ଦୁଃଖିତ ହେଲେ। ସମସ୍ତଙ୍କ ନଜରରେ ସେ ପାଲଟି ଯାଇଥିଲେ ଦେବୀ।