ଜେରୁଜେଲମ,୨୯।୧୨: ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର ନାଁ ଧରୁନି। ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି। ସମ୍ପ୍ରତି ଜଣେ ମହିଳାଙ୍କୁ ଏପରି ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ଯାହା ସାରା ବିଶ୍ୱରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉତ୍ତର ପାଲେଷ୍ଟାଇନରେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଜଣେ ଗର୍ଭବତୀ ମହିଳା ୫ କିମି ଚାଲି ଚାଲି ହସ୍ପିଟାଲକୁ ଯାଇଥିଲେ ଏବଂ ସେଠାରେ ସେ ଚାରି ସନ୍ତାନ ଜନ୍ମ ଦେଇଥିଲେ। ଏବେ ମା’ ସହ ୪ ସନ୍ତାନ ସୁସ୍ଥ ଅଛନ୍ତି।
ତାଙ୍କର ସଂଗ୍ରାମର କାହାଣୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତାଙ୍କୁ ତଥାପି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଏହି ମହିଳାଙ୍କ ନାମ ହେଉଛି ଇମାନ ଅଲ ମାସ୍ରି। ସେ ଏବେ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି। ସେ କହିଛନ୍ତି, ଅକ୍ଟୋବର ୭ରେ ଇସ୍ରାଏଲ ହମାସ ଉପରେ ଆକ୍ରମଣ କରିବାର କିଛି ଦିନ ପରେ ସେ ସୁରକ୍ଷା ସନ୍ଧାନରେ ବିଟ ହାନୁନରେ ଥିବା ନିଜ ଘର ଛାଡିଥିଲେ। ଏବେ ସନ୍ତାନ ଜନ୍ମ ପରେ ବି ତାଙ୍କ ଦୁଃଖ ସରିନି। ନିଜ ସହ ପିଲାମାନଙ୍କୁ କିପରି ସୁରକ୍ଷା ଦେବେ ସେ ନେଇ ଚିନ୍ତାରେ ଅଛନ୍ତି।