୨୪ ଘଣ୍ଟାରେ ଉଦ୍ଧାର ନ ହେଲେ ଧାରଣା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମ ବସ୍ତିରୁ ଜଣେ ନାବାଳିକା ଅପହରଣ ହେବାର ୮ମାସ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିପାରି ନାହିଁ। କେବଳ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଚୁପ ରହିଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ମା’ବାପା ଥାନାକୁ ଦୌଡ଼ି ନୟାନ୍ତ ହେବା ପରେ ଡିସିପି ଓ କମିଶନର ଅଫିସ ଯାଇ ଅଭିଯୋଗ କରିଥିଲେ। ସେଠାରେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ମିଳିଥିଲା। ଶେଷରେ ନିରୁପାୟ ହୋଇ ନାବାଳିକାଙ୍କ ମାତାପିତା ରାଷ୍ଟ୍ରୀୟ ସମାଜସେବୀ ପରିଷଦର ସାହାଯ୍ୟ ଲୋଡ଼ିଛନ୍ତି। ଫଳରେ ଶୁକ୍ରବାର ସେମାନଙ୍କୁ ନେଇ ସଂଗଠନର ସଭ୍ୟମାନେ ମଞ୍ଚେଶ୍ୱର ଥାନାରେ ପହଞ୍ଚି ଥାନାଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି। ଯଦି ୨୪ ଘଣ୍ଟା ମଧ୍ୟରେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଉକ୍ତ ମା’ବାପାଙ୍କୁ ହସ୍ତାନ୍ତର ନ କରେ ତେବେ ସଂଗଠନ ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ପୁରୁଷୋତ୍ତମ ବସ୍ତିରେ ରହୁଥିବା ଗୁଣମଣି ସାହୁ ଓ ରଶ୍ମିତାଙ୍କ ନବମ ଶ୍ରେଣୀରେ ପଢୁଥିବା ଝିଅ ଗତ ବର୍ଷ ଅକ୍ଟୋବର ୨୩ରେ ଟ୍ୟୁଶନକୁ ଯାଇ ଆଉ ଘରକୁ ଫେରି ନ ଥିଲା। ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ନ ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ନଂ-୩୬୩/୨୦ରେ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଏପ୍ରିଲ ୩୦ ଅର୍ଥାତ ମଙ୍ଗଳବାର ଏକ ଅଜଣା ନମ୍ବରରୁ ତାଙ୍କ ଝିଅ ଫୋନ କରି ହଂସପାଳ ନିକଟରେ ଅଛି, ଶୀଘ୍ର ଆସି ମତେ ନେଇଯାଅ ବୋଲି କାନ୍ଦି କାନ୍ଦି କହିଥିଲା। ପରିବାର ଲୋକେ ସେଠାକୁ ଯାଇଥିଲେ ମଧ୍ୟ ଝିଅକୁ ପାଇ ନ ଥିଲେ। ଏ ନେଇ ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ତେବେ ଏ ନେଇ ମଞ୍ଚେଶ୍ୱର ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି, ଏହି ମାମଲାର ଅଧିକ ତଦନ୍ତ ଚାଲିଛି। ଯଥାଶୀଘ୍ର ନାବାଳିକାଙ୍କୁ ଉଦ୍ଧାର କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Share