Advertisement

ନାରୀ ଶିକ୍ଷାର ଆଲୋକବର୍ତ୍ତିକା ଥିଲେ

ଜୟପୁର,୪।୧(ନି.ପ୍ର.): ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନଠାରେ ଭାରତବର୍ଷରେ ପ୍ରଥମେ ମହିଳାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ସାବିତ୍ରୀବାଈ ଫୁଲେଙ୍କ ୧୯୩ତମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି। ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରମୋଦ ମହାନ୍ତି ଅତିଥିଭାବେ ଯୋଗଦେଇ କହିଲେ, ସାବିତ୍ରୀବାଈ ଫୁଲେ ନାରୀଶିକ୍ଷାର ଆଲୋକବର୍ତ୍ତିକା ଥିଲେ। ଯେଉଁ ସମୟରେ ମହିଳାମାନଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚତ୍ତ କରାଯାଉଥିଲା, ସେହି ସମୟରେ ସାବିତ୍ରୀ ସ୍ବାମୀଙ୍କ ପ୍ରେରଣାରେ ନିଜେ ପଢ଼ିବା ସହ ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତାଙ୍କର ସହଯୋଗୀ ଫାତିମା ଓ ତାଙ୍କ ଉପରକୁ ଉଚ୍ଚଜାତିର ଲୋକମାନେ ଗୋବର, ପଥର ଫୋପାଡୁଥିଲେ। ଫଳରେ ସେମାନଙ୍କୁ ଦୁଇଟି ଶାଢ଼ି ନେଇ ବିଦ୍ୟାଳୟକୁ ଯିବାକୁ ପଡୁଥିଲା ବୋଲି ମହାନ୍ତି କହିଥିଲେ। ମହାରାଷ୍ଟ୍ରର ପୁଣେରେ ପ୍ରଥମ ମହିଳା ବିଦ୍ୟାଳୟ ସ୍ଥାପନ କରିଥିବା ସାବିତ୍ରୀବାଈ ଜଣେ ମରାଠା କବିୟିତ୍ରୀ ରୂପେ ବେଶ୍‌ ପରିଚିତ। ସେ ମହିଳାମାନଙ୍କ ଅଧିକାର ସମ୍ପର୍କିତ ଅନେକ ପୁସ୍ତକ ରଚନା କରିଛନ୍ତି। ୧୮୩୧ ଜାନୁୟାରୀ ୩ରେ ଜନ୍ମ ଗ୍ରହଣ କରିଥିବା ଏହି ମହିୟସୀ ମହିଳା ପ୍ଳେଗ୍‌ ରୋଗରେ ଆକ୍ରାନ୍ତ ହୋଇ ୧୦ା୩ା୧୮୯୭ରେ ମୃତ୍ୟୁବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁଲତା ସାହୁ , କମଳା ଜାନି , ରାମକୃଷ୍ଣ ଦାସ, ସତ୍ୟବ୍ରତ ନନ୍ଦ, ସନ୍ନ୍ୟାସୀ ମାଳି, ନନ୍ଦ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share