Categories: ଖେଳ

ଇତିହାସ ରଚିଲେ ଶେଫାଳି

ହାଙ୍ଗଝୋ,୨୧।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ବର୍ଷା ଯୋଗୁ ଭାରତ ଏବଂ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରଦ୍ଦ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ମାଲେସିଆ ଦଳ କେବଳ ଦୁଇଟି ବଲ ଖେଳିପାରିଥିଲା। ଟିମ ଇଣ୍ଡିଆ ପାଇଁ ବ୍ୟାଟିଂ କରୁଥିବାବେଳେ ଶେଫାଲୀ ଭର୍ମା ଇତିହାସ ସୃଷ୍ଟି କରିଥିଲେ। ସେ ଏସୀୟ ଗେମ୍ସରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଥିଲେ।
ଏହି ମ୍ୟାଚରେ ଅଧିନାୟକ ସ୍ମୃତି ମନ୍ଧନା ଏବଂ ଶେଫାଳି ବର୍ମାଙ୍କ ଯୋଡି ଦଳକୁ ଏକ ଭଲ ଆରମ୍ଭ କରିଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୫୭ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା। ୧୬ ଟି ବଲରେ ୨୭ ରନ୍‌ର ଇନିଂସ ଖେଳିବା ପରେ ମନ୍ଧାନା ପାଭିଲିୟନକୁ ଫେରିଥିଲେ। ଶେଫାଲୀ ୩୯ଟି ବଲର ସମ୍ମୁଖୀନ ହୋଇ ୬୭ ରନ ସ୍କୋର କରିଥିଲେ। ସେ ୪ ଚୌକା ଓ ୫ ଛକା ମାରିଥିଲେ। ଏସିଆନ ଗେମ୍ସରେ ଅର୍ଦ୍ଧଶତକ ହାସଲ କରିଥିବା ଭାରତ ପାଇଁ ଶେଫାଲୀ ପ୍ରଥମ ମହିଳା ଖେଳାଳି ହୋଇଥିଲେ।
୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଷ୍ଟାର ଖେଳାଳି ଜେମିମା ରୋଡ୍ରିଗେଜ ଗୋଟିଏ ପଟରୁ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ। ଶେଫାଳୀ ବର୍ମା ମଧ୍ୟ କ୍ରମାଗତ ଭାବରେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ। ଦ୍ୱିତୀୟ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୪୭ ବଲରେ ୮୬ ରନର ଭାଗିଦାରୀ ହୋଇଥିଲା।
ଏଠାରୁ ଜେମିମା ରିଚା ଘୋଷଙ୍କ ସମର୍ଥନ ପାଇଲେ ଏବଂ ତୃତୀୟ ଉଇକେଟ ପାଇଁ ସେମାନଙ୍କ ମଧ୍ୟରେ ୧୨ଟି ବଲରେ ୩୦ ରନ ଭାଗିଦାରୀ ହୋଇଥିଲା। ୧୫ ଓଭରରେ ୨ ଉଇକେଟ ହରାଇ ଟିମ ଇଣ୍ଡିଆ ୧୭୩ ରନ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲା। ଜେମିମା ୨୯ ବଲରେ ଅପରାଜିତ ୪୭ ରନ ସଂଗ୍ରହ କରିଥିବାବେଳେ ରିଚା ମଧ୍ୟ ୭ ବଲରେ ୨୧ ରନର ଅପରାଜିତ ଇନିଂସ ଖେଳିଥିଲେ।
ସୂଚନାଯୋଗ୍ୟ ଯେ, ଶେଫାଳିଙ୍କ ସାମଗ୍ରିକ ରେକର୍ଡ ଭଲ ରହିଛି। ସେ ୨୨ଟି ଦିନିକିଆ ମ୍ୟାଚ ରେ ୫୩୫ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫୯ ଟି-୨୦ରେ ୧୩୬୩ ରନ ସଂଗ୍ରହ କରିଛନ୍ତି। ସେ ୨ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଛନ୍ତି। ଏଥିରେ ୨୪୨ ରନ ସ୍କୋର କରିଛନ୍ତି। ଏହି ଅବଧିରେ ସେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି।

Share