ଇମ୍ରାନଙ୍କୁ ମନେ ପକାଇଲେ ଶେହବାଜ

ଇସଲାମାବାଦ,୩ା୨: ପାକିସ୍ତାନର ପେଶଓ୍ବାର ମସଜିଦରେ ଆତ୍ମଘାତୀ ଆକ୍ରମଣ ପରେ ପଡ଼ୋଶୀ ଦେଶରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ମନେ ପକାଇଛନ୍ତି। ଆତଙ୍କବାଦର ଗୁରୁତର ବିପଦ ଦେଖି ଅର୍ଥନୈତିକ ସଙ୍କଟରେ ଫସି ରହିଥିବା ପାକିସ୍ତାନକୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଦେଶରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇବା ପରେ ପ୍ରଧାନମନ୍ତ୍ରୀ ଆର୍ଥିକ ତଥା ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ ସମାଧାନ ଖୋଜିବାକୁ ଏକ ସର୍ବଦଳୀୟ ସମ୍ମିଳନୀ (ଏପିସି)ଡାକିଛନ୍ତି। ଏହି ସମ୍ମିଳନୀକୁ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଏକ ବିବୃତ୍ତିରେ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ଜାତୀୟ ଆହ୍ବାନର ମୁକାବିଲା ପାଇଁ ଉପାୟ ଖୋଜିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳର ମୁଖ୍ୟଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି।

ଶେହବାଜ ମଧ୍ୟ ଦୁଇଜଣ ପିଟିଆଇ ପ୍ରତିନିଧିଙ୍କୁ ପେଶୱାରରେ ଅନୁଷ୍ଠିତ ସର୍ବୋଚ୍ଚ କମିଟି ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଏହି ସମ୍ମିଳନୀ ୭ ଫେବୃୟାରୀରେ ଇସଲାମାବାଦରେ ଅନୁଷ୍ଠିତ ହେବ। ଏହି ବୈଠକରେ ପେଶଓ୍ବାରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ, ଆତଙ୍କବାଦକୁ ମୂଳୋତ୍ପାଟନ ତଥା ପୋଲିସର ନବୀକରଣ ତଥା ଆତଙ୍କବାଦ ମୁକାବିଲା ବିଭାଗ (ସିଟିଡି) ଉପରେ ଆଲୋଚନା ହେବ।

Share