‘ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଛି, ଶେଷ କରାଯାଇନାହିଁ’

ଇସଲାମାବାଦ,୨୯।୮: ପାକିସ୍ତାନ ତେହେରିକ-ଇ-ଇନସାଫର ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ତୋଶାଖାନା ମାମଲାରେ ଇସଲାମାବାଦ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ଏହାର ରାୟ ଦେଇ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଭାଇଛନ୍ତି, ଏବଂ ମୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତି ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ପ୍ରତିକ୍ରିୟା ଦେଇଛନ୍ତି।

ଶହବାଜ କହିଛନ୍ତି ଯେ, ଇମ୍ରାନ୍‌ଙ୍କ ଦଣ୍ଡକୁ ସ୍ଥଗିତ ରଖାଯାଇଛି, ଶେଷ କରାଯାଇନାହିଁ। ନିଷ୍ପତ୍ତି ଆସିବା ପୂର୍ବରୁ ସମସ୍ତେ ଜାଣନ୍ତି ଯେ ନିଷ୍ପତ୍ତି କ’ଣ ହେବ, ତେଣୁ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ କେହି ଆଶ୍ଚର୍ଯ୍ୟ ହେବା କଥା ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୱାଜ ଶରିଫଙ୍କ ଦଣ୍ଡକୁ ସୁନିଶ୍ଚିତ କରିବା ପାଇଁ ଜଣେ ମନିଟରିଂ ବିଚାରପତି ନିଯୁକ୍ତ ହୋଇଥିଲେ। ହେଲେ ଇମ୍ରାନ୍‌ଙ୍କୁ ବଞ୍ଚାଇବା ପାଇଁ ପ୍ରଧାନ ବିଚାରପତି ନିଜେ ମନିଟରିଂ ଜଜ ହୋଇଗଲେ। ନ୍ୟାୟିକ ବ୍ୟବସ୍ଥାର ଏହି ଭୂମିକା ଇତିହାସର କଳା ଅଧ୍ୟାୟରେ ଲେଖାଯିବ। ଏକ ନ୍ୟାୟିକ ବ୍ୟବସ୍ଥା ମାପକାଠିକୁ ଗୋଟିଏ ଦିଗକୁ ଟାଣିବା ଏବଂ ନ୍ୟାୟକୁ ନଷ୍ଟ କରିବା ଗ୍ରହଣୀୟ ନୁହେଁ।

Share