ପ୍ରଧାନମନ୍ତ୍ରୀଙ୍କୁ ‘ଅନ୍ତର୍ଜାତୀୟ ଭିକାରୀ’ କହିଲେ ଏମ୍‌ପି

ଇସଲାମାବାଦ୍‌,୧୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଶେଷ ହୋଇଛି। ଅନାସ୍ଥା ଭୋଟରେ ପରାଜୟ ପରେ ଇମ୍ରାନ ଖାନ ସରକାର ଗାଦିଚ୍ୟୁତ ହୋଇଛି। ଶେହଓ୍ବାଜ୍‌ ଶରିଫ ବର୍ତ୍ତମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ଶେହଓ୍ବାଜ୍‌ ଅନ୍ତର୍ଜାତୀୟ ସ୍ତରରେ କଠିନ ପରିଶ୍ରମ ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ ପାକିସ୍ତାନୀ ସଂସଦର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପାକିସ୍ତାନର ଜଣେ ଏମ୍‌ପି ନିଜର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ତାଙ୍କ ଦଳର ସଦସ୍ୟଙ୍କୁ ଅନ୍ତର୍ଜାତୀୟ ଭିକାରୀ ବୋଲି କହୁଛନ୍ତି।
ଏହି ଭିଡିଓ ଏପ୍ରିଲ୍‌ ୧୧ର ବୋଲି ଜଣାପଡିଛି। ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ପରେ ବିରୋଧୀଦଳ ମିଳିତ ଭାବେ ଶେହଓ୍ବାଜ୍‌ଙ୍କୁ ସଂସଦରେ ନୂତନ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲେ। ଏହି ସମୟରେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଏମ୍‌ପି ଫହିମ ଖାନ ଭିଡିଓ ଶୁଟିଂ ଆରମ୍ଭ କରିଥିଲେ। ଭିଡିଓରେ ସେ କୁହନ୍ତି, ହଁ, ମୁଁ ଏବେ ବିଧାନସଭା ଭିତରେ ଠିଆ ହୋଇଛି ଏବଂ ମୁଁ ଆପଣଙ୍କୁ ଅନ୍ତର୍ଜାତୀୟ ଭିକାରୀ ଦେଖାଇବାକୁ ଚାହୁଁଛି। ଏହା ପରେ ଶେହଓ୍ବାଜ ଏବଂ ତାଙ୍କ ଦଳର ନେତାଙ୍କ ଆଡକୁ କ୍ୟାମେରା ବୁଲାଇ ଫହିମ କୁହନ୍ତି, ଏ ହେଉଛନ୍ତି ଅନ୍ତର୍ଜାତୀୟ ଭିକାରୀ … ଯିଏ ନିଜେ ଭିକାରୀ। ତା’ପରେ ପିଟିଆଇ ଏମ୍‌ପିମାନଙ୍କୁ କ୍ୟାମେରା ଦେଖାଇ ଫହିମ୍‌ କହନ୍ତି, ଆମେ ଭିକାରୀ ନୁହେଁ। ଏହା ପରେ ପୁଣିଥରେ କ୍ୟାମେରାକୁ ଶେହଓ୍ବାଜ୍‌ଙ୍କ ଆଡକୁ ବୁଲାଇ ପାଟି କରି କହିଥିଲେ, ଏଠାରେ ଭିକାରୀମାନେ ବସିଛନ୍ତି।
ଫହିମଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଫହିମ ପାକିସ୍ତାନର କରାଚିରୁ ଏମ୍‌ପି ଅଛନ୍ତି।

Share