ସ୍ବଦେଶ ଫେରିଲେ ଶେହବାଜଙ୍କ ପୁଅ, ଦୁର୍ନୀତି ଅଭିଯୋଗରେ କରିବେ ଆତ୍ମସମର୍ପଣ…

ଇସଲାମାବାଦ,୧୧।୧୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପଳାତକ ପୁତ୍ର ସୁଲେମାନ ଶେହବାଜ ଲଣ୍ଡନରେ ଚାରି ବର୍ଷ ଆତ୍ମ-ର୍ନିବାସନ ପରେ ରବିବାର ସକାଳେ ସ୍ବଦେଶ ଫେରିଛନ୍ତି। ଦୁର୍ନୀତିର ଅନେକ ଅଭିଯୋଗତାଙ୍କ ବିରୋଧରେ ରହିଛି। ଡିସେମ୍ବର ୧୩ ପର୍ଯ୍ୟନ୍ତ ଆତ୍ମସମର୍ପଣ କରିବାକୁ କୋର୍ଟ ସୁଲେମାନଙ୍କୁ ସମୟ ଦେଇଛନ୍ତି। ତାଙ୍କ ଗିରଫଦାରୀକୁ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତ ରଖିଥିଲେ, ଏହା ପରେ ସୁଲେମାନ ପାକିସ୍ତାନକୁ ଫେରିବାକୁ ରାଜି ହୋଇଥିଲେ।

ସାଧାରଣ ନିର୍ବାଚନ ପୂର୍ବରୁ ନ୍ୟାଶନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏଫଆଇଏ) ତାଙ୍କ ବିରୋଧରେ ଅନେକ ମାମଲା ପଞ୍ଜୀକୃତ କରିଥିବା ବେଳେ ୨୦୧୮ଠାରୁ ସୁଲେମାନ ତାଙ୍କ ପରିବାର ସହ ଲଣ୍ଡନରେ ଥିଲେ। ସେ କିଛି ଶୁଣାଣିରେ ହାଜର ହେବା ପାଇଁ ପାକିସ୍ତାନ ଫେରିଛନ୍ତି। ଫେରିବା ପୂର୍ବରୁ ସୁଲେମାନ ଏକ ବିବୃତ୍ତିରେ କହିଛନ୍ତି ଯେ ନୂତନ ରାଜନୈତିକ ସ୍ଥିତିରେ ତାଙ୍କ ତଥା ତାଙ୍କ ପରିବାର ବିରୋଧରେ ଜାଲିଆତି ମାମଲା ରୁଜୁ ହେବା ପରେ ସେ ପାକିସ୍ତାନ ଛାଡିବାକୁ ବାଧ୍ୟ ହୋଇଥିଲେ।

ସୁଲେମାନଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଥିଲା। ତେବେ କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଏଫଆଇଏ କହିଛି ଯେ ସୁଲେମାନ ତାଙ୍କ ଠିକଣାରେ ଉପସ୍ଥିତ ନ ଥିବାରୁ ବିଦେଶ ଯାଇଥିବାରୁ ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଚଳିତ ବର୍ଷ ଜୁଲାଇରେ ନିମ୍ନ ଅଦାଲତ ସୁଲେମାନଙ୍କୁ ଅପରାଧୀ ଭାବରେ ଘୋଷଣା କରିବା ସହ ୧୬ ବିଲିୟନ ମନି ଲଣ୍ଡରିଂ ମାମଲାରେ ଜଣେ ପଳାତକ ଭାବେ ଘୋଷଣା କରିଥିଲେ।

Share